ନୀଲ୍ ଆର୍ମଷ୍ଟ୍ରଙ୍ଗ୍ ୧୯୬୯ ମସିହାରେ ଚନ୍ଦ୍ର ଉପରେ ପାଦ ପକାଇଥିଲେ। ଚନ୍ଦ୍ରପୃଷ୍ଠରେ ଚାଲିଥିଲେ। କିନ୍ତୁ ଆମେ ପୃଥିବୀରେ ରହି ଯେମିତି ରୁପା ଭଳି ଚକ୍ ଚକ୍ କରୁଥିବା ଚନ୍ଦ୍ର ବା ଜହ୍ନକୁ ଦେଖି ଖୁସିହେଉ, ଆର୍ମଷ୍ଟ୍ରଙ୍ଗ୍ଙ୍କୁ ଜହ୍ନ ସେମିତି ଦିଶୁ ନ ଥିଲା। ସେ ଚନ୍ଦ୍ରପୃଷ୍ଠରେ କଳା କଳା ଧୂଳି ଦେଖୁଥିଲେ । ତାଙ୍କ ଚାରିପାଖରେ ଛୋଟବଡ଼ ପାହାଡ଼ ଓ ଖାଲ ଥିଲା । ଜହ୍ନର ଏଭଳି ରୂପକୁ ଜଣେ ମହାକାଶ ବିଜ୍ଞାନୀ ଭାବରେ ସେ ସିନା ଗ୍ରହଣ କରୁଥିଲେ, କିନ୍ତୁ ଆମେ ସେମିତିକା ପାହାଡ଼-ପର୍ବତ-ଖାଲ-ଢିପରେ ଭରିଥିବା ଜହ୍ନକୁ ଗ୍ରହଣ କରିପାରିବା ନାହିଁ । ଏବେ ଆମେ ବୁଝିପାରୁଛୁ, ଦୂର ପରବତ ସୁନ୍ଦର ବୋଲି କାହିଁକି କୁହାଯାଏ । ଚନ୍ଦ୍ର ହେଉଛି ଆମ ପୃଥିବୀର ଉପଗ୍ରହ, ଯାହାକୁ ଆମେ ଜହ୍ନମାମୁ କହୁ । ଏବେ ଆମେ ପୃଥିବୀ କଥା ଚିନ୍ତା କରିବା । ପୃଥିବୀ ଉପରେ ଆମେ ରହୁ। ସେ ଆମକୁ କୋଳରେ ଧରିରଖିଛି ବୋଲି ତାକୁ ଆମେ ‘ଧରା’ ବା ‘ଧରିତ୍ରୀ’ ବୋଲି କହୁ । ଏହାର ଗଛଲତା, ଜୀବଜନ୍ତୁ ଓ ପାଣିପବନ ଆମକୁ ଭଲ ଲାଗେ । କିନ୍ତୁ ‘ଧରା’ ବା ପୃଥିବୀଠାରୁ ଅନେକ ଦୂରରେ ରହି ପୃଥିବୀକୁ ଦେଖିଲେ, ତାହା କେମିତି ଦିଶିବ, ସେଇ ବିଷୟରେ ଏଠାରେ ଆଲୋଚନା କରିବା।
ପୃଥିବୀ ମଧ୍ୟ କମଳାଲେମ୍ବୁ ପରି ଗୋଲ୍ ବୋଲି ଆମେ ବହିରେ ପଢ଼ିଛୁ । କିନ୍ତୁ ଆମେ କେବେ ନିଜ ଆଖିରେ ପୃଥିବୀର ଗୋଲ୍ ଆକାରକୁ ଦେଖିନାହୁଁ । କାହିଁକି ନା, ଆମର ଆକାରକୁ ଦେଖିଲେ ପୃଥିବୀର ଆକାର ଖୁବ୍ ବଡ଼ । ତେଣୁ ତା’ ଉପରେ ଛିଡ଼ା ହୋଇ ଆମେ ସମୁଦାୟ ପୃଥିବୀକୁ ଦେଖିବା ସମ୍ଭବ ନୁହେଁ । ପୃଥିବୀ ଉପରେ ଛିଡ଼ା ହୋଇ କେବଳ ପୃଥିବୀପୃଷ୍ଠର କିଛି ଅଂଶ ଦେଖିପାରିବା, ଯାହାକି ପୃଥିବୀର ପ୍ରକୃତ ଆକାର ତୁଳନାରେ କିଛି ନୁହଁ । ତେଣୁ ସେତିକି ଅଂଶରୁ ପୃଥିବୀର ପ୍ରକୃତ ବିଶାଳ ଆକାର ଜଣାପଡିବ ନାହିଁ । ବରଂ ପୃଥିବୀର ଅଧିକ ଅଞ୍ଚଳକୁ ଦେଖିବା ଲାଗି ଚେଷ୍ଟା କରିବା । ପୃଥିବୀର ପୃଷ୍ଠ ସମତଳ ନୁହେଁ। ଅର୍ଥାତ୍ ତାହା ସବୁଠି ସମାନ ଉଚ୍ଚତାରେ ନାହିଁ। ପୃଥିବୀ ପୃଷ୍ଠରେ କୋଉଠି ଉଚ୍ଚ ମାଳଭୂମି ରହିଛି ତ କୋଉଠି ହିମାଳୟ ଭଳି ବିଶାଳ ପର୍ବତ ଛିଡ଼ା ହୋଇଛି। ତେଣୁ ସବୁ ଜାଗାରୁ ସମାନ ପରିମାଣର ଅଞ୍ଚଳ ଦେଖିବା ସମ୍ଭବ ନୁହେଁ । ସମୁଦ୍ର କୂଳକୁ ପୃଥିବୀପୃଷ୍ଠର ପ୍ରକୃତ ସମତଳ ଅଞ୍ଚଳ ଭାବରେ ନିଆଯାଏ । ଆମେ ସମୁଦ୍ର କୂଳରେ ଛିଡ଼ା ହୋଇ ାରିଆଡ଼କୁ ଦେଖିଲେ ଅତି ବେଶିରେ ୪ କିଲୋମିଟର ଦୂରତା ପର୍ଯ୍ୟନ୍ତ ଦେଖିପାରିବୁ । ତା’ ପରେ ପୃଥିବୀପୃଷ୍ଠ ତଳକୁ ମୋଡ଼ିଗଲା ପରି ଜଣାପଡ଼ିବ । ମନେ ହେବ ସତେଯେମିତି ସେଇଠି ପୃଥିବୀ ସରିଯାଇଛି। ତାହାକୁ ଦିଗ୍ବଳୟ (ହରାଇଜନ୍) କୁହାଯାଏ। ପୃଥିବୀ କମଳାଲେମ୍ବୁ ପରି ଗୋଲ୍ ହେଇଥିବାରୁ ଆମକୁ ଏମିତି ଦିଶେ । ଗୋଲ୍ ପୃଥିବୀର କେନ୍ଦ୍ରରୁ ଭୂପୃଷ୍ଠ ପର୍ଯ୍ୟନ୍ତ ୬,୪୦୦ କିଲୋମିଟର ହେବ । ଅର୍ଥାତ୍ ୧୨,୮୦୦ କିଲୋମିଟର ଓସାରର ଫାଙ୍କ ଭିତରେ ପୃଥିବୀ ଗଳିପାରିବ । ଗୋଲ୍ ପୃଥିବୀର ପୃଷ୍ଠତଳ କମଳାଲେମ୍ବୁର ପୃଷ୍ଠ ପରି ସବୁଠି ବଙ୍କେଇ ହୋଇ ରହିଛି । କିନ୍ତୁ ପୃଥିବୀର ଆକାର ଅତି ବିଶାଳ ହୋଇଥିବାରୁ ଆମେ ସେଇ ବଙ୍କା ଆକାରକୁ ଅନୁଭବ କରିପାରୁନାହିଁ। ଆମେ ବିଶାଳ ପୃଷ୍ଠର ମାତ୍ର କିଛି ଅଂଶ ଦେଖୁ ବୋଲି ତାହା ସମତଳ ଲାଗେ । ଫୁଟବଲ୍ ବା କମଳାଲେମ୍ବୁ ଉପରେ କ୍ଷୁଦ୍ର ପିମ୍ପୁଡ଼ି ଯେପରି ସହଜରେ ଚାଲିବୁଲି ପାରେ, ତଳକୁ ଟଳି ପଡ଼ିବାର ଭୟ ନଥାଏ, ଆମେ ସେମିତି ବିଶାଳ ପୃଥିବୀର ବଙ୍କା ପୃଷ୍ଠ ଉପରେ ସହଜରେ ଲାବୁଲା କରିପାରୁ । ପୃଥିବୀ ପୃଷ୍ଠର ବକ୍ରତାକୁ ଆଦୌ ଅନୁଭବ କରିହୁଏ ନାହିଁ ।
ଉଚ୍ଚତା ଦେଢ ମିଟର ହେବ। ଜଣେ ଦେଢ ମିଟର ଉଚ୍ଚତାର ମଣିଷ ୧୨,୮୦୦ କିଲୋମିଟର ଓସାର ପୃଥିବୀର ପୃଷ୍ଠରେ ଛିଡା ହେଇ ପୂରା ପୃଥିବୀକୁ ଦେଖିବା ସମ୍ଭବ ନୁହେଁ । ବରଂ ଆମେ ଭୂଇଁଠାରୁ ଟିକିଏ ଉପରକୁ ଉଠିଯାଇ ପୃଥିବୀକୁ ଅନେଇଲେ କିଛିଟା ଲାଭ ହେବ। ହଁ, ଆମେ ସମୁଦ୍ର କୂଳରେ ଭୂଇଁଠାରୁ ଅଧିକ ଅଧିକ ଉଚ୍ଚତାକୁ ଉଠିଲେ, ଦୂର ଦିଗବଳୟ ଆମଠାରୁ ଆହୁରି ଦୂରେଇ ଦୂରେଇ ଯିବ । ଏହାର ଅର୍ଥ ପୃଥିବୀ ପୃଷ୍ଠର ଅଧିକ ଅଂଶ ଦେଖିପାରିବା । ଆମେ ସମୁଦ୍ରକୂଳରେ ଭୂଇଁଠାରୁ ୬ ମିଟର ଉପରକୁ ଉଠିଗଲେ, ଆମଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଦିଗ୍ବଳୟ ରହିବ । ସେହିପରି ୯୦ ମିଟର ଉଚ୍ଚତାରୁ ଆମେ ପୃଥିବୀପୃଷ୍ଠର ପ୍ରାୟ ୩୪ କିଲୋମିଟର ଦୂରତା ପର୍ଯ୍ୟନ୍ତ ଦେଖିପାରିବୁ । ଯଦି ୧୦୫୦ ମିଟର ଉଚ୍ଚର ଏକ ପାହାଡ଼ ଚୂଳରେ ଛିଡ଼ା ହେବୁ, ତେବେ ଆମକୁ ୧୩୦ କିଲୋମିଟର ପର୍ଯ୍ୟନ୍ତ ଭୂପୃଷ୍ଠ ଦେଖାଯିବ । ଆହୁରି ଉଚ୍ଚକୁ ଉଠିବା ପାଇଁ ଆମେ ଉଡ଼ାଜାହାଜର ସାହାଯ୍ୟ ନେବାକୁ ପଡ଼ିବ । ଯଦି ୪,୮୦୦ ମିଟର ଉଚ୍ଚତାରେ ଉଡୁଥିବା ଉଡ଼ାଜାହାଜରେ ବସିବା, ତା’ହେଲେ ଆମ ଚାରିପଟେ ୨୬୫ କିଲୋମିଟର ପର୍ଯ୍ୟନ୍ତ ଭୂପୃଷ୍ଠକୁ ଦେଖିପାରିବା । ତଥାପି ଆମେ ପୃଥିବୀକୁ ସଂପୂର୍ଣ୍ଣ ଦେଖିପାରିବା ନାହିଁ । ଆମକୁ ଆହୁରି ଉପରକୁ ଯିବାକୁ ପଡ଼ିବ । ଆମର ଉପଗ୍ରହ ଚନ୍ଦ୍ର ଆମଠାରୁ ୩,୮୪,୪୪୦ କି.ମି. ଉଚ୍ଚତାରେ ରହିଛି । ଚନ୍ଦ୍ରପୃଷ୍ଠରୁ ରହି ପୃଥିବୀକୁ ଦେଖିଲେ ପୃଥିବୀର ପ୍ରକୃତ ଆକୃତି ଜଣାପଡିବ । ଚନ୍ଦ୍ରପୃଷ୍ଠରୁ ଦେଖିଲେ ଆମକୁ ପୃଥିବୀ ଗୋଟିଏ ସୁନ୍ଦର ନୀଳ ଫୁଟବଲ୍ ପରି ଦିଶିବ । ସେତେବେଳେ ଆମେ ପୃଥିବୀ ଗୋଲ୍ ବୋଲି ନିଃସନ୍ଦେହରେ କହିପାରିବା । ଆହୁରି ମଧ୍ୟ କହିପାରିବା, ଆମ ପୃଥିବୀକୁ ପାଖରୁ ଦେଖିଲେ ଯେମିତି ସୁନ୍ଦର, ଦୂରରୁ ବି ସେମିତି ସୁନ୍ଦର ।
ଡ. କମଳାକାନ୍ତ ଜେନା
-ବିଭାଗୀୟ ମୁଖ୍ୟ (ପଦାର୍ଥ ବିଜ୍ଞାନ ବିଭାଗ),
ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ
ମୋ : ୯୪୩୯୫୦୧୬୫୧