ମସ୍କୋ,୫।୧୨: ୟୁକ୍ରେନ ସୀମାରେ ରୁଷିଆ ସୈନ୍ୟ ଠୁଳ କରିବା ନେଇ ଆମେରିକା ଚିନ୍ତା ପ୍ରକଟ କରିଛି। ଏହା ଯୋଗୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ତାଙ୍କ ରୁଷିଆ ପ୍ରତିପକ୍ଷ ବ୍ଲାଡିମୀର ପୁଟିନ୍ଙ୍କ ସହିତ ମଙ୍ଗଳବାର ଟେଲିଫୋନ୍ରେ ଆଲୋଚନା କରିବେ। କ୍ରେମଲିନ ମୁଖପାତ୍ର ଡିମିଟ୍ରି ପେସ୍କୋଭ ଏନେଇ ସୂଚନା ପ୍ରଦାନ କରିଛନ୍ତି। ଏହାଦ୍ୱାରା ୟୁକ୍ରେନ୍ ଏବଂ ରୁଷିଆ ମଧ୍ୟରେ ମୁାହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି।
ୟୁକ୍ରେନକୁ ନାଟୋ ସାମରିକ ସହଯୋଗରେ ଅନ୍ତର୍ଭୁକ୍ତ କରାଯିବ ନାହିଁ ବୋଲି ଆମେରିକା କହିଛି। ଆମେରିକାର ଗୁପ୍ତଚର ସଂସ୍ଥା ଦାବି କରିଛି ଯେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହୋଇଛି। ତେବେ ପୁଟିନ ପ୍ରଶାସନ ଏହାକୁ ଅସ୍ବୀକାର କରିଛନ୍ତି।
ୟୁକ୍ରେନ ସୀମାରେ ୭୦ ହଜାରରୁ ଅଧିକ ସୈନିକ ରୁଷିଆ ମୁତୟନ କରିଛି। ଆମେରିକାର ଅଧିକାରୀ ତଥା ଆମେରିକାର ପୂର୍ବତନ କୂଟନୀତିଜ୍ଞମାନେ କହିଛନ୍ତି ଯେ ପୁଟିନ୍ ତୃତୀୟ ବିଶ୍ୱଯୁଦ୍ଧ ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି। ଏହାଯୋଗୁ ପାଶ୍ଚାତ୍ୟ ଦେଶଗୁଡିକ ଦ୍ୱାରା ପ୍ରତିବନ୍ଧକ ଲାଗୁ ହେବା ଯୋଗୁ ରଷିଆର ଅର୍ଥନୀତିକୁ ଗୁରୁତର କ୍ଷତି ପହଞ୍ଚାଇବ ବୋଲି ସେ ଚେତାବନୀ ଦେଇଛନ୍ତି।
ଆମେରିକା ସମର୍ଥିତ ପାଶ୍ଚାତ୍ୟ ସାମରିକ ସଂଗଠନ ନାଟୋ ୟୁକ୍ରେନକୁ ସମର୍ଥନ କରୁଛି। ବ୍ରୁସେଲ୍ସରେ ଥିବା ନାଟୋ କାର୍ଯ୍ୟାଳୟ ପକ୍ଷରୁ ବିବୃତ୍ତି ଜାରି କରାଯାଇ ରୁଷିଆର ପଦକ୍ଷେପକୁ ଆକ୍ରମଣାତ୍ମକ ନିନ୍ଦା କରାଯାଇଛି। ୟୁକ୍ରେନ ନାଟୋର ସମ୍ପୂର୍ଣ୍ଣ ସଦସ୍ୟ ନୁହେଁ। ତେଣୁ ନାଟୋ ଚାହିଁଲେ ମଧ୍ୟ ସିଧାସଳଖ ସାମରିକ କାର୍ଯ୍ୟରେ ଲିପ୍ତ ରହିପାରିବ ନାହିଁ। ତେବେ ନାଟୋ ଦେଶଗୁଡ଼ିକ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଉଛନ୍ତି।