ଆଜି ବିଶ୍ୱ ଜଳ ଦିବସ। ମିଳିତ ଜାତିସଂଘର ସାଧାରଣ ପରିଷଦ ୧୯୯୨ରେ ମାର୍ଚ୍ଚ ୨୨ ତାରିଖକୁ ପ୍ରତିବର୍ଷ ସମଗ୍ର ପୃଥିବୀରେ ବିଶ୍ୱ ଜଳ ଦିବସ ରୂପେ ପାଳନ କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରିଥିଲେ। ତଦନୁସାରେ ୧୯୯୩ ମସିହାରୁ ମିଳିତ ଜାତିସଂଘର ସମସ୍ତ ସଦସ୍ୟ ରାଷ୍ଟ୍ର ବିଶ୍ୱ ଜଳ ଦିବସ ପାଳନ କରିଆସୁଛନ୍ତି। ସମାଜର ସବୁ ବର୍ଗର ଲୋକଙ୍କୁ ଜଳ ସମସ୍ୟା ବିଷୟରେ ସଚେତନ କରାଇ, ଜଳ ସମ୍ପଦର ସଂରକ୍ଷଣ ଓ ତା’ର ସଦୁପଯୋଗ ଉପରେ ଧ୍ୟାନ ଦେବା, ବିଶ୍ୱ ଜଳ ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ପ୍ରତିବର୍ଷ ଏହି ଦିବସର ଏକ ଥିମ୍ ବା ମୁଖ୍ୟ ବାର୍ତ୍ତା ଥାଏ, ଯାହାକୁ କେନ୍ଦ୍ର କରି ଚର୍ଚ୍ଚା, ପ୍ରଚାର ପ୍ରସାର ଓ କାର୍ଯ୍ୟକ୍ରମ ଖସଡା ପ୍ରସ୍ତୁତ ହୋଇଥାଏ। ଏ ବର୍ଷର ବିଶ୍ୱ ଜଳ ଦିବସର ବାର୍ତ୍ତା ହେଉଛି ଜଳ ଓ ପରିମଳ ସମସ୍ୟା ସମାଧାନ ପାଇଁ ପରିବର୍ତ୍ତନ ତ୍ୱରାନ୍ବିତ ଆହ୍ବାନ। ଅର୍ଥାତ୍ ଜଳ ଓ ପରିମଳ ସମସ୍ୟା ସମାଧାନ ପାଇଁ ଆମର ବର୍ତ୍ତମାନର ଜଳ ବ୍ୟବହାର ପଦ୍ଧତିର ପରିବର୍ତ୍ତନକୁ ତ୍ୱରାନ୍ବିତ କରିବା। ପୃଥିବୀର ବିଭିନ୍ନ ଭାଗରେ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କଲାଣି। ଆମ ଦେଶରେ ମଧ୍ୟ ବିଭିନ୍ନ ଭାଗରେ ଜଳ ସମସ୍ୟା ମୁଣ୍ଡ ଟେକିଲାଣି। କେତେକ ରାଜ୍ୟରେ କ୍ରେନ ଓ ଟ୍ୟାଙ୍କର ଯୋଗେ ଖରାଦିନେ ପାନୀୟ ଜଳଯୋଗାଣ କରାଯାଉଛି। ଓଡ଼ିଶାରେ ମଧ୍ୟ ବିଭିନ୍ନ ଜିଲାରେ ଗୁରୁତର ପାନୀୟ ଜଳ ସମସ୍ୟା ଦେଖାଦେଇଛି। ସମସ୍ତେ ଯଦି ଏହି ସମସ୍ୟାର ସମାଧାନ ପାଇଁ ଜଳ ସଂରକ୍ଷଣ ଓ ତା’ର ସଦୁପଯୋଗ ଉପରେ ଧ୍ୟାନ ନ ଦିଅନ୍ତି, ତା’ହେଲେ ଆଗାମୀ ଦିନରେ ଏହା ଆହୁରି ଉତ୍କଟ ରୂପ ଧାରଣ କରିବ । ଏବେ ଆମ ଦେଶର କେତେକ ସ୍ଥାନରେ ଭୂତଳ ଜଳସ୍ତର କ୍ରମଶଃ କମିଯିବାରୁ ଖରାଦିନେ କୂଅ ଓ ନଳ କୂପରେ ପାଣି ଆସୁନାହିଁ। କେନାଲ ଜଳସେଚିତ ଅଞ୍ଚଳର ଦୁଇ ପାର୍ଶ୍ୱରେ ଅତ୍ୟଧିକ ଜଳ ଯୋଗୁ କୌଣସି ପ୍ରକାର ଫସଲ ଉତ୍ପାଦନ ସମ୍ଭବ ହୋଇପାରୁ ନIହିଁ। ସମୁଦ୍ର ଅଞ୍ଚଳର ଲୁଣା ମଧ୍ୟ ଧୀରେ ଧୀରେ ଆଭ୍ୟନ୍ତରୀଣ ଅଞ୍ଚଳକୁ ପ୍ରବେଶ କରିବାରେ ଲାଗିଲାଣି। ଜଳବାୟୁ ପରିବର୍ତ୍ତନଜନିତ ବିଭ୍ରାଟ ଯୋଗୁ ଅଳ୍ପ ସମୟରେ ମାତ୍ରାଧିକ ବୃଷ୍ଟିପାତ ଓ ବର୍ଷା ଋତୁରେ ଉତ୍କଟ ମରୁଡି ଭଳି ସ୍ଥିତି ଉତ୍ପନ୍ନ ହେଉଛି। କୃଷି କ୍ଷେତ୍ରରେ ଚାଷୀମାନେ ଜଳ ସଞ୍ଚୟକାରୀ ଜଳସେଚନ ବ୍ୟବହାର ପରିବର୍ତ୍ତେ ବୁଡ଼ା ଜଳସେଚନ ପଦ୍ଧତି ବ୍ୟବହାର କରୁଛନ୍ତି। ତେଣୁ ଆମ ସମସ୍ତଙ୍କୁ ଜଳ ଅପଚୟ ବ୍ୟବହାର ପଦ୍ଧତିରେ ପରିବର୍ତ୍ତନ କରିବାକୁ ପଡ଼ିବ। ସେହି ପରିବର୍ତ୍ତନକୁ ତ୍ୱରାନ୍ବିତ କରିବାକୁ ବିଶ୍ୱ ଜଳ ଦିବସ ଆହ୍ବାନ ଦେଉଛି I ସମାଜର ସମସ୍ତ ନାଗରିକଙ୍କୁ ପରିଷ୍କାର ପରିମଳ ଯୋଗାଇବା ପାଇଁ ପର୍ଯ୍ୟାପ୍ତ ଜଳର ଆବଶ୍ୟକତା ଅଛି।
ବିଶ୍ୱ ଜଳ ଦିବସ ପାଳନ ଆମର ଯୋଜନାକାରୀ, ପ୍ରଶାସକ, ଗବେଷକ, ଛାତ୍ରସମାଜ, କୃଷକ ଓ ସମାଜର ସମସ୍ତ ନାଗରିକଙ୍କୁ ଏକାଠି କରି ଜଳ ସମସ୍ୟାର ସମାଧାନ ଉପରେ ଖସଡ଼ା ପ୍ରସ୍ତୁତ ଏବଂ ତା’ର କ୍ରିୟାନ୍ବୟନ ପାଇଁ ଏକ ସୁଯୋଗ ସୃଷ୍ଟି କରୁଛି। ଯଦିଓ ପୃଥିବୀର ସମୁଦାୟ ଭୂଭାଗରେ ଶତକଡ଼ା ୭୧ ଭାଗ ଜଳସମ୍ପଦରେ ପରିପୂର୍ଣ୍ଣ, ମାତ୍ର ସେଥି ମଧ୍ୟରୁ ସିଂହ ଭାଗ ଅର୍ଥାତ୍ ଶତକଡ଼ା ୯୭.୩ ଭାଗ ଲବଣାକ୍ତ ଜଳ ଓ ମାତ୍ର ୨.୭ ଭାଗ ମଧୁର ଜଳ। ଅଳ୍ପ କିଛି ହେନ୍ତାଳ ଜାତୀୟ ବୃକ୍ଷ, ସାମୁଦ୍ରିକ ଜଳ ଜୀବ ଓ ସାମୁଦ୍ରିକ ପକ୍ଷୀକୁ ଛାଡ଼ିଦେଲେ, ସଂପୂର୍ଣ୍ଣ ମାନବ ସମାଜ, ପଶୁପକ୍ଷୀ ଓ ଉଦ୍ଭିଦଜଗତ ଲବଣାକ୍ତ ଜଳରେ ବଞ୍ଚିବା କଷ୍ଟକର। ତେଣୁ ମଧୁର ଜଳର ମହତ୍ତ୍ୱ କେତେ ଆମେ ସହଜରେ ଅନୁମାନ କରିପାରିବା। ବିଶ୍ୱର ସମୁଦାୟ ମଧୁର ଜଳର ଶତକଡ଼ା ୮୮ ଭାଗ ଜୀବଜଗତ ପାଇଁ ଅନୁପଲବ୍ଧ ୭୭% ଗ୍ଲେସିୟର ବରଫ ଖଣ୍ଡ ଓ ମେରୁ ବରଫ ଖଣ୍ଡରେ ଆବଦ୍ଧ ଥାଏ, ଯାହା କେବେ ତରଳେ ନାହିଁ ଓ ଶତକଡ଼ା ୧୧ ଭାଗ ଭୂପୃଷ୍ଠର ୮୦୦ ମିଟର ତଳେ ଥାଏ; ଯାହାକୁ ବର୍ତ୍ତମାନର ଉପଲବ୍ଧ ଜ୍ଞାନ କୌଶଳ ଉପଯୋଗ କରି ଉତ୍ତୋଳନ କରିବା ସମ୍ଭବ ନୁହେଁ। ସମୁଦାୟ ମଧୁର ଜଳର ମାତ୍ର ୧୨ ଭାଗ ଆମ କାମରେ ଲାଗିଥାଏ। ତା’ ଛଡ଼ା ସମୁଦ୍ର ଜଳରୁ ମଧୁର ଜଳ ପ୍ରସ୍ତୁତି ଅତ୍ୟନ୍ତ ବ୍ୟୟ ସାପେକ୍ଷ; ଯଦ୍ଦ୍ବାରା ଏତେ ଦାମ୍ ଦେଇ ଜଳ ଉପଯୋଗ କରିବା ନାଗରିକଙ୍କ ପକ୍ଷେ ସମ୍ଭବ ନୁହେଁ। ଅନ୍ୟପକ୍ଷରେ ଆମେ ବିନା ମୂଲ୍ୟରେ ପ୍ରଚୁର ମଧୁର ଜଳ ବର୍ଷା ରୂପରେ ପାଇଥାନ୍ତି। ତା’ର ସଂରକ୍ଷଣ ଓ ସଦୁପଯୋଗ କାହିଁକି ନ କରିବା? ବିଶ୍ୱର ହାରାହାରି ମୁଣ୍ଡପିଛା ବାର୍ଷିକ ଜଳ ଉପଲବ୍ଧତା ପ୍ରାୟ ୭୦୦୦ ଘନ ମିଟର। ଗ୍ରହଣୀୟ ମାନକ ହିସାବରେ ଯଦି କୌଣସି ଦେଶର ବାର୍ଷିକ ମୁଣ୍ଡପିଛା ଜଳ ଉପଲବ୍ଧତା ୨୦୦୦ ଘନ ମିଟର ରହେ, ତା’ ହେଲେ ସେ ଦେଶ ଜଳ ସମ୍ପଦରେ ସ୍ବଚ୍ଛଳ ବୋଲି ଧରାଯାଏ। ମାତ୍ର ତାହା ହ୍ରାସ ପାଇ ୧୭୦୦ ଓ ୧୦୦୦ ଘନ ମିଟର ତଳକୁ ଗଲେ ସେ ଦେଶ ଯଥାକ୍ରମେ ଜଳକ୍ଳିଷ୍ଟ ଓ ଜଳସଙ୍କଟରେ ଥାଏ ବୋଲି ବିବେଚନା କରାଯାଏ। ତଦନୁସାରେ ଆମ ଦେଶର ବାର୍ଷିକ ମୁଣ୍ଡପିଛା ଜଳ ଉପଲବ୍ଧତା ୧୯୫୧ ମସିହାରେ ୫୧୭୭ ଘନ ମିଟର ଥିଲାବେଳେ, ଜନସଂଖ୍ୟା ବୃଦ୍ଧି ଯୋଗୁ ତାହା କ୍ରମଶଃ ହ୍ରାସ ପାଇ ବର୍ତ୍ତମାନ ୧୫୦୦ ଘନ ମିଟରରେ ପହଞ୍ଚିଛି, ଯାହା କି ଜଳକ୍ଳିଷ୍ଟ ଅବସ୍ଥାକୁ ହାସଲ କରିଛି। ଯଦିଓ ଆମେ ବାର୍ଷିକ ହାରାହାରି ୧୨୦୦ ମିଲିମିଟର ବୃଷ୍ଟିପାତ ପାଉଛନ୍ତି, ମାତ୍ର ରାଜସ୍ଥାନର ଜୈସାଲମେର ଜିଲାରେ ସର୍ବନିମ୍ନ ହାରାହାରି ବାର୍ଷିକ ୨୦୯ ମିଲିମିଟର ବୃଷ୍ଟିପାତ ହୁଏ ଓ ମେଘାଳୟର ମୋଂସିନରାମ ଗ୍ରାମରେ ସର୍ବାଧିକ ୧୧୮୭୨ ମିଲିମିଟର ବର୍ଷା ହୁଏ। ଦୁଃଖର ବିଷୟ, ଜଳ ସଂରକ୍ଷଣ ଅଭାବ ହେତୁ ମେଘାଳୟରେ ମଧ୍ୟ ଅଣ ମୌସୁମୀ ଦିନରେ ଜଳାଭାବ ଦେଖାଯାଇଥାଏ। ଆମ ରାଜ୍ୟର ବିଭିନ୍ନ ଆଭ୍ୟନ୍ତରୀଣ ଓ ପାହାଡିଆ ଜିଲାରେ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କଲାଣି। ଯଦିଓ ଆମେ ବର୍ଷକୁ ୧୫୦୦ ମିଲିମିଟର ବର୍ଷା ପାଉଛନ୍ତି। ଏକ ହିସାବ ଅନୁସାରେ ୨୦୫୦ ବେଳକୁ ଆମ ଦେଶକୁ ସର୍ବମୋଟ ୧୪୪୭ ବିସିଏମ୍ (ବିଲିୟନ କ୍ୟୁବିକ ମିଟର) ଜଳ ଆବଶ୍ୟକ; ଯାହା କି ଆମ ଦେଶର ମୋଟ ଜଳ ଉପଲବ୍ଧତାଠୁ ୩୨୪ ବିସିଏମ୍ ଅଧିକ। କୃଷି କ୍ଷେତ୍ରକୁ ସେ ସମୟରେ ୧୦୭୨ ବିସିଏମ୍ ଜଳ ଆବଶ୍ୟକ ହେବ, ଯାହା କି ସମୁଦାୟ ଜଳ ଆବଶ୍ୟକତାର ୭୪%। କୌଣସି ଦେଶ ନିଜ ଜଳ ସମ୍ପଦର ୭୪ ଭାଗ ଜଳ କୃଷି କ୍ଷେତ୍ରକୁ ଦେଇପାରିବେ ନIହିଁ, ଅନ୍ୟାନ୍ୟ କ୍ଷେତ୍ର ଯଥା ଘରୋଇ, ଶିଳ୍ପ, ଶକ୍ତି ଆଦି କ୍ଷେତ୍ରର ଆବଶ୍ୟକତାକୁ କମ୍ କରି। ତେଣୁ ଆମକୁ କମ୍ ଜଳରେ ଅଧିକ ଉତ୍ପାଦନ ହୋଇପାରୁଥିବା ଜ୍ଞାନ କୌଶଳକୁ ଉପଯୋଗ କରିବାକୁ ପଡ଼ିବ। ଇତିହାସ କହେ ସିନ୍ଧୁ ନଦୀ କୂଳରେ ପ୍ରାଚୀନ କାଳରେ ସୁନ୍ଦର ବିକଶିତ ସଭ୍ୟତା ଥିଲା। ମାତ୍ର ଜଳ ସମ୍ପଦର ଠିକ୍ ବିନିଯୋଗ ନ କରିପାରିବାରୁ ତାହା କ୍ରମଶଃ ଲୋପ ପାଇଗଲା। ବର୍ତ୍ତମାନ କେଉଁଠି ଭୂତଳ ଜଳ ଶୁଖିଗଲାଣି ତ ଆଉ କେଉଁଠି ସମୁଦ୍ରର ଲୁଣ ପାଣି ଭିତର ଗାଁ ଜଳକୁ ଲବଣାକ୍ତ କଲାଣି I କେଉଁଠି ଭୂତଳ ଜଳରୁ ମାରାତ୍ମକ ଆର୍ସେନିକ ଓ ଫ୍ଲୋରାଇଡ ବାହାରିଲାଣି। ତେଣୁ ସମାଜର ସବୁ ବର୍ଗର ଲୋକ ଜଳ ସମସ୍ୟାର ଗମ୍ଭୀରତାକୁ ଉପଲବ୍ଧ କରି ତାର ସଂରକ୍ଷଣ ଓ ସଦୁପଯୋଗ ଉପରେ ଧ୍ୟାନ ଦେବାକୁ ପଡିବ। କୃଷି କ୍ଷେତ୍ରରେ କମ ଜଳ ଉପଯୋଗ ପାଇଁ ପାରଦର୍ଶୀ ସିଞ୍ଚନ ଓ ବୁନ୍ଦା ଜଳସେଚନ ପ୍ରଣାଳୀକୁ ଲୋକାଦୃତ କରିବାକୁ ପଡିବ। ଆମକୁ ଅଧିକ ସଂଖ୍ୟକ ନଦୀବନ୍ଧ ଯୋଜନା, ଚେକ୍ ଡ୍ୟାମ୍, ଗଡ଼ିଆ, ପୋଖରୀ ଆଦିକୁ ନିର୍ମାଣ କରିବାକୁ ହେବ; ଯାହାଦ୍ୱାରା ବର୍ଷାଜଳ ସଂରକ୍ଷଣ ଓ ଭୂଜଳ ସ୍ତର ବୃଦ୍ଧି ହୋଇପାରିବ। ପୁରୁଣା ଜଳାଶୟରୁ ପଙ୍କ ଉଦ୍ଧାର କରି ତା’ର ବର୍ଷାଜଳ ଧାରଣ କ୍ଷମତା ବୃଦ୍ଧି କରିବାକୁ ପଡିବ। ସେଥିପାଇଁ ଆମକୁ ବ୍ୟାପକ ଜନ ସଚେତନତା କାର୍ଯ୍ୟକ୍ରମ ହାତକୁ ନେବାକୁ ହେବ। ବିଶେଷ କରି ସ୍କୁଲ, କଲେଜ ଛାତ୍ରୀଛାତ୍ର ଓ କୃଷକମାନଙ୍କୁ ଏହି ଅଭିଯାନରେ ସାମିଲ କରିବାକୁ ପଡ଼ିବ। ଆସନ୍ତୁ ଏକ ଶପଥ ନେବା – ଜଳର ସଦୁପଯୋଗ କରିବା, ତା’ର ଅପଚୟ ରୋକିବା ଏବଂ ଆଗାମୀ ଦିନରେ ସମସ୍ତଙ୍କ ପାଇଁ ଜଳ ସୁରକ୍ଷା ପ୍ରଦାନ କରିବା ନିମନ୍ତେ ପରିବର୍ତ୍ତନ ଆହ୍ବାନକୁ ସ୍ବୀକାର କରିବା।
- ଡ. ପ୍ରମୋଦ କୁମାର ପଣ୍ଡା | ଡ. ଅର୍ଜମାଦତ୍ତ ଷଡ଼ଙ୍ଗୀ
ଆଇସିଏଆର- ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ