Categories: ଜାତୀୟ

ଓମ୍‌ ଆକୃତିରେ ତିଆରି ହୋଇଛି ଦେଶର ପ୍ରଥମ ମନ୍ଦିର

ପାଲି(ରାଜସ୍ଥାନ), ୬।୨: ରାଜସ୍ଥାନର ପାଲି ଜିଲା ଜାଡାନ ଗାଁରେ ନୂତନ ଭାବେ ଓମ୍‌ ଆକୃତିର ନିର୍ମାଣ ହୋଇଛି ଏକ ମନ୍ଦିର। ପ୍ରାୟ ୨୫୦ ଏକର ଜମିରେ ନିର୍ମିତ ହୋଇଥିବା ଏହି ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆସନ୍ତା ୧୯ ତାରିଖରେ ହେବ। ଓମ୍‌ ପ୍ରତୀକ ସହ ପ୍ରାୟ ଅଧ କିଲୋମିଟର ବ୍ୟାସାର୍ଦ୍ଧରେ ମନ୍ଦିର ପରିବ୍ୟାପ୍ତ ହୋଇଛି। ଏନେଇ ଜାତୀୟ ଗଣମାଧ୍ୟମରେ ଏକ ଖବର ପ୍ରକାଶିତ ହୋଇଛି।

୧୯୯୫ରେ ଏହି ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଥିଲା। ୪ ମହଲା ବିଶିଷ୍ଟ ଉକ୍ତ ମନ୍ଦିରର ୧୦୮ଟି ସ୍ତମ୍ଭରେ ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତି ଲଗାଯାଇଛି। ମନ୍ଦିରରେ ୧ ହଜାର ୮ଟି ମହାଦେବଙ୍କ ମୂର୍ତ୍ତି ସମେତ ୧୨ଟି ଜ୍ୟୋତିର୍ଲିଙ୍ଗ ରହିଥିବା ଜଣାପଡ଼ିଛି। ମନ୍ଦିରଟି ୨ ହଜାର ସ୍ତମ୍ଭରେ ନିର୍ମାଣ କରାଯାଇଛି। ଆକାଶ ମାର୍ଗରୁ ମନ୍ଦିରଟିକୁ ଦେଖିଲେ ଏହା ଭବ୍ୟ ଏବଂ ଆକର୍ଷଣୀୟ ଲାଗୁଛି। ଓମ୍‌ ଆଶ୍ରମର ମୁଖ୍ୟ ସ୍ବାମୀ ମହେଶ୍ୱରାନନ୍ଦ ମହାରାଜ ଏହି ମନ୍ଦିର ନିର୍ମାଣ କରିଥିବା କୁହାଯାଉଛି।

କେମିତି ଯିବେ: ଯୋଧପୁର ବିମାନବନ୍ଦରଠାରୁ ପ୍ରାୟ ୭୧ କି.ମି. ୬୨ ନମ୍ବର ଜାତୀୟ ରାଜପଥ ଦେଇ ଗଲେ ଜାଡାନ ଗ୍ରାମ ଅବସ୍ଥିତ। ଏପରିକି ଯାତ୍ରୀ ଟ୍ରେନ୍‌ରେ ମଧ୍ୟ ଯାଇପାରିବେ।

Share