Categories: ଖେଳ

କ୍ରିକେଟ୍‌କୁ ଅଲବିଦା କହିଲେ ବିଶ୍ୱର ପ୍ରଥମ ଟ୍ରାନ୍ସଜେଣ୍ଡର କ୍ରିକେଟର: ବଖାଣିଲେ ଦୁଃଖ

ନୂଆଦିଲ୍ଲୀ,୨୨।୧୧: ଆଇସିସି ଟ୍ରାନ୍ସଜେଣ୍ଡର କ୍ରିକେଟରଙ୍କୁ ଅନ୍ତର୍ଜାତୀୟ କ୍ରିକେଟରୁ ବାସନ୍ଦ କରିବା ପରେ ବିଶ୍ୱର ପ୍ରଥମ ଟ୍ରାନ୍ସଜେଣ୍ଡର କ୍ରିକେଟର ଡାନିଏଲ ମ୍ୟାକଗେ ତାଙ୍କ ଅବସର ଘୋଷଣା କରିଛନ୍ତି। କାନାଡା ପାଇଁ ଖେଳୁଥିବା ଦୁନିଆର ପ୍ରଥମ ଟ୍ରାନ୍ସଜେଣ୍ଡର କ୍ରିକେଟର ଡାନିଏଲ ମ୍ୟାକଗେ ଏହି ଆଇସିସି ନିଷ୍ପତ୍ତି ପରେ ସେ ନିରାଶ ହୋଇ ଅବସର ଘୋଷଣା କରିଛନ୍ତି।
ଅବସର ଘୋଷଣା କରି ସେ କହିଛନ୍ତି, ଆଇସିସିର ନିଷ୍ପତ୍ତି ଉପରେ ମୋର ନିଜର ମତ ହେଉଛି ଆଜି ସାରା ବିଶ୍ୱରେ ଲକ୍ଷ ଲକ୍ଷ ଟ୍ରାନ୍ସଜେଣ୍ଡରଙ୍କୁ ଏକ ବାର୍ତ୍ତା ପଠାଯାଇଛି, ଯେଉଁଥିରେ କୁହାଯାଇଛି ଯେ, ଆମର କୌଣସି ଅଧିକାର ନାହିଁ। ମୁଁ ପ୍ରତିଜ୍ଞା କରୁଛି ଯେ କ୍ରୀଡ଼ାରେ ଆମର ସମାନତା ପାଇଁ ମୁଁ କଦାପି ଲଢିବା ବନ୍ଦ କରିବି ନାହିଁ। ସର୍ବୋଚ୍ଚ ସ୍ତରରେ କ୍ରିକେଟ ଖେଳିବାର ଆମର ଅଧିକାର ଅଛି। ଏହି ଖେଳର ସୁରକ୍ଷା ଏବଂ ଅଖଣ୍ଡତା ପାଇଁ ଆମେ କୌଣସି ବିପଦ ସୃଷ୍ଟି କରୁନାହୁଁ।
ଡାନିଏଲ ଏପ୍ରିଲ ୧୯୯୪ରେ ଅଷ୍ଟ୍ରେଲିଆରେ ଜନ୍ମଗ୍ରହଣ କରିଥିଲେ। ଜୀବନର ୨୬ ବର୍ଷ ବିତାଇବା ପରେ, ସେ ଫେବୃଆରୀ ୨୦୨୦ରେ କାନାଡା ଯିବାକୁ ସ୍ଥିର କଲେ। ଅଷ୍ଟ୍ରେଲୀୟ ଖେଳାଳି ମେ ୨୦୨୧ରେ କ୍ରିକେଟର ଭାବରେ ତାଙ୍କ କ୍ୟାରିୟର ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ କାନାଡାର ଘରୋଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରିବା ପରେ ଡାନିଏଲ କାନାଡାର ମହିଳା କ୍ରିକେଟ ଦଳରେ ସୁଯୋଗ ପାଇବା ଆରମ୍ଭ କରିଥିଲେ। ଏହା ପରେ, ଡାନିଏଲ ମଧ୍ୟ ପ୍ରଥମ ଟ୍ରାନ୍ସଜେଣ୍ଡର କ୍ରିକେଟର ଭାବରେ କାନାଡାର ଅନ୍ତର୍ଜାତୀୟ କ୍ରିକେଟ ଦଳରେ ଯୋଗ ଦେଇଥିଲେ। ସେ ୨୦୨୩ ମହିଳା ଟି-୨୦ ଜାତୀୟ ଚାମ୍ପିଅନଶିପରେ ନିଜ ଦଳ କାନାଡା ପାଇଁ ଚମତ୍କାର ପ୍ରଦର୍ଶନ କରି ବ୍ୟାଟିଂର ମାତ୍ର ୩ ଇନିଂସରେ ୨୩୭ ରନ ସ୍କୋର କରିଥିଲେ। ଡାନିଏଲ ମୋଟ ୬ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ।

 

Share