ଚାଇନାରେ ବିଶ୍ୱର ବଡ଼ ସୁନାଖଣି ଆବିଷ୍କୃତ

ବେଜିଂ, ୩୦।୧୧: ମଧ୍ୟ ଚାଇନାର ହୁନାନ୍‌ ରାଜ୍ୟରେ ଏକ ବୃହତ୍‌ ସୁନାଖଣିର ଆବିଷ୍କାର କରାଯାଇଛି। ଚାଇନାର ସରକାରୀ ଏଜେନ୍ସି ଜିନ୍‌ହୁଆ ଅନୁଯାୟୀ, ୮୨.୮ ବିଲିୟନ ଡଲାର(ପ୍ରାୟ ୭ ଲକ୍ଷ କୋଟି ଟଙ୍କା) ମୂଲ୍ୟର ଏହି ସୁନା ଖଣି ବିଶ୍ୱର ସର୍ବ ବୃହତ୍‌ ସୁନା ଖଣି ହୋଇପାରିଛି। ହୁନାନ୍‌ ରାଜ୍ୟର ଉତ୍ତର-ପୂର୍ବବର୍ତ୍ତୀ ପିଙ୍ଗ୍‌ଜିଆଙ୍ଗ୍‌ କାଉଣ୍ଟିର ୨ ହଜାର ମିଟରରୁ ଅଧିକ ଗଭୀରତାରେ ‘ହୁନାନ ଏକେଡେମୀ ଅଫ୍‌ ଜିଓଲେଜି’ର ଭୂବିଜ୍ଞାନୀମାନେ ୪୦ରୁ ଅଧିକ ସୁନା ଶିରାକୁ ଚିହ୍ନଟ କରିଛନ୍ତି। କେବଳ ଏଥିରେ ୩୦୦.୨ ମେଟ୍ରିକ୍‌ ଟନ୍‌ ସୁନା ରହିଥିବା ନେଇ ଭୂବିଜ୍ଞାନୀମାନେ ଅନୁମାନ କରିଛନ୍ତି। ଏହି ସୁନା ଖଣିରେ ୩ ହଜାର ମିଟରରୁ ଅଧିକ ଗଭୀରତାରେ ୧ ହଜାର ମେଟ୍ରିକ୍‌ ଟନ୍‌ରୁ ଅଧିକ ସୁନା ରହିଥିବା ଜଣାପଡ଼ିଛି। ପୂର୍ବରୁ ଦକ୍ଷିଣ ଆଫ୍ରିକାର ସାଉଥ୍‌ ଡିପ୍‌ ମାଇନ୍‌ରେ ଅବସ୍ଥିତ ସୁନାଖଣି ୯୩୦ ମେଟ୍ରିକ୍‌ ଟନ୍‌ ସୁନା ସହ ବିଶ୍ୱର ସର୍ବବୃହତ୍‌ ସୁନାଖଣି ଭାବେ ପରିଚିତ ଥିଲା। ପ୍ରକାଶ ଯେ, ବିଶ୍ୱର ସବୁଠୁ ବଡ଼ ସୁନା ଉତ୍ପାଦକ ଦେଶ ଭାବରେ ଚାଇନା ପରିଚିତ। ଓ୍ବାଲ୍ଡର୍‌ଡ ଗୋଲ୍ଡ କାଉନ୍‌ସିଲ୍‌ର ରିପୋର୍ଟ ଅନୁଯାୟୀ, ଗତ ବର୍ଷ ବୈଶ୍ୱିକ ସୁନା ଉତ୍ପାଦନରେ ଚାଇନାର ଯୋଗଦାନ ୧୦% ରହିଥିଲା।

Share