ବିଶ୍ୱର ବୃହତ୍ତମ ବିମାନ ନଷ୍ଟ

କ୍ୱିଭ,୧।୩: ମିଶାଇଲ ଅକ୍ରମଣରେ ବିଶ୍ୱର ବୃହତ୍ତମ ବିମାନ ଆଣ୍ଟୋନୋଭ ଏନ୍‌-୨୨୫ ତଥା ମରିୟା ନଷ୍ଟ ହୋଇଥିବା ୟୁକ୍ରେନ କହିଛି। ୟୁକ୍ରେନରେ ଏହି ବିମାନ ‘ଡ୍ରିମ୍‌’ଭାବେ ବେଶ୍‌ ଜଣାଶୁଣା। ରୁଷୀୟ ସୈନ୍ୟ ହୋଷ୍ଟୋମେଲର ଏୟାରବେସ୍‌ ଉପରକୁ ଆକ୍ରମଣ କରିଥିବାବେଳେ ମରିୟା ଉକ୍ତ ଏୟାରବେସ୍‌ରେ ମରାମତି ପାଇଁ ରଖାଯାଇଥିଲା। ସାଟେଲାଇଟ୍‌ ଚିତ୍ର ଅନୁସାରେ ରୁଷିଆ ପକ୍ଷରୁ କରାଯାଇଥିବା ମିଶାଇଲ ମାଡ଼ରେ ମରିୟାର ଅଧିକାଂଶ ଭାଗ ଜଳି ଯାଇଛି। ଡ୍ରିମ୍‌’ ବିମାନକୁ ପୁଣିଥରେ ସଜଡ଼ାଯିବ ଏବଂ ବ୍ୟବହାର ଉପଯୋଗୀ କରାଯିବ ବୋଲି ୟୁକ୍ରେନ ବହିର୍ବ୍ୟାପାର ମନ୍ତ୍ରୀ ଡିମାଇଟ୍ରୋ କୁଲେବା କହିଛନ୍ତି। ମରିୟାକୁ ପୁଣିଥରେ ସଜାଡ଼ିବା ପାଇଁ ୩ ବିଲିୟନ ଡଲାର ଖର୍ଚ୍ଚ ହେବା ସହ ଏଥିପାଇଁ ୫ ବର୍ଷ ସମୟ ଲାଗିବ ବୋଲି ଉକ୍ରୋବୋରୋନପ୍ରୋମ ଡିଫେନ୍ସ କମ୍ପାନୀ ପକ୍ଷରୁ କୁହାଯାଉଛି। ଏହି କମ୍ପାନୀ ଦ୍ୱାରା ମରିୟାକୁ ତିଆରି କରିଥିବା ଆଣ୍ଟୋନୋଭ ପରିଚାଳିତ। କ୍ୱିଭ୍‌ର ଆଣ୍ଟୋନୋଭ କମ୍ପାନୀ ବିଶ୍ୱର ବୃହତମ ବିମାନ ମରିୟାର ନିର୍ମାଣକର୍ତ୍ତା। ଏହି ବିମାନରେ ୪ ଗୋଟି ଏନ୍‌-୧୨୪ ଇଞ୍ଜିନ ସଂଲଗ୍ନ। ଏହାର ଓ୍ବିଙ୍ଗ୍‌ର ଲମ୍ବ ୨୯୦ ଫୁଟ। ୧୯୮୮ରୁ ଏହି ବିମାନକୁ ୟୁକ୍ରେନ୍‌ ବ୍ୟବହାର କରିଆସୁଛି। ସୋଭିଏତ ସଂଘର ଏରୋନେଟିକାଲ କାର୍ଯ୍ୟକ୍ରମରେ ଏହାକୁ ବ୍ୟବହାର କରାଯାଉଥିଲା। ୧୯୯୧ରେ ଯେତେବେଳେ ସୋଭିଏଟ୍‌ ସଂଘରୁ ବାଦ୍‌ ପଡ଼ିବା ପରେ ୟୁକ୍ରେନ ଏହାକୁ ମାଲ୍‌ ପରିବହନରେ ବ୍ୟବହାର କରାଗଲା। ବିଶ୍ୱରେ ଥିବା ସର୍ବବୃହତ୍‌ ବିମାନଗୁଡ଼ିକ ଭିତରୁ ମରିୟା ବେଶ୍‌ ଚର୍ଚ୍ଚିତ ଏବଂ ଭିନ୍ନ।

Share