Categories: ଫୁରସତ

ବିଶ୍ୱର ସବୁଠୁ ପୁରୁଣା ଗଛ ‘ଗ୍ରେଟ୍‌ ଗ୍ରାଣ୍ଡଫାଦର’

ସାଣ୍ଟିଆଗୋ: ସାଧାରଣତଃ ଗଛର ଜୀବନକାଳ ୧୦୦ ବର୍ଷରୁ ଊର୍ଦ୍ଧ୍ୱ ଥିବା ଆମେ ଜାଣିଛେ। ଏପରି କିଛି ଗଛ ଅଛି, ଯାହା ତା’ଠାରୁ ବି ଅଧିକ ବର୍ଷ ବଞ୍ଚିଥାଏ। ନିକଟରେ ଅନୁସନ୍ଧାନକାରୀମାନେ ଏପରି ଏକ ଅଛ ଠାବ କରିଛନ୍ତିି, ଯାହା ପାଖାପାଖି ୫୦୦୦ରୁ ୬୫୦୦ ବର୍ଷ ଧରି ଠିଆହୋଇ ପ୍ରକୃତିକୁ ଜୀବନ୍ତ ରଖିପାରିଛି। ଦକ୍ଷିଣ ଆମେରିକାର ଚିଲିରେ ଥିବା ଏହି ଗଛକୁ ‘ଗ୍ରେଟ୍‌ ଗ୍ରାଣ୍ଡଫାଦର’ ଭାବେ ନାମକରଣ କରାଯାଇଛି, ଯାହା ବିଶ୍ୱର ସବୁଠୁ ପୁରୁଣା ଗଛ ଭାବେ ରେକର୍ଡ କରିଛି। ଏହି ଗଛ ବିଶ୍ୱର ସମସ୍ତ ଜଳବାୟୁ ପରିବର୍ତ୍ତନ ସହିତ ପ୍ରାକୃତିକ ଦୈବଦୁର୍ବିପାକକୁ ସହ୍ୟ କରି ଦଶନ୍ଧି ଦଶନ୍ଧି ଧରି ଠିଆ ହୋଇଛି। ଏହା ପୂର୍ବରୁ ବିଶ୍ୱର ସବୁଠୁ ପୁରୁଣା ଗଛ ଭାବେ ଆଖ୍ୟା ପାଇଥିବା ‘ମିଥ୍ୟୁସେଲ୍‌ହା’ ଯାହା ଆମେରିକାର କାଲିଫର୍ନିଆର ଜଙ୍ଗଲରେ ଅବସ୍ଥିତ। ଏହି ବୃକ୍ଷ ୪୮୫୦ ବର୍ଷ ହେବ ପ୍ରକୃତିର ଜଳବାୟୁ ପରିବର୍ତ୍ତନ ସହ ନିଜକୁ ଖାପ ଖୁଆଇ ସେହି ସ୍ଥାନରେ ଠିଆ ହୋଇପାରିଛି। ‘ମିଥ୍ୟୁସେଲ୍‌ହା’ ପାଇନ ପ୍ରଜାତିର ବୃକ୍ଷ ହୋଇଥିବାବେଳେ ‘ଗ୍ରେଟ୍‌ ଗ୍ରାଣ୍ଡଫାଦର’ କାଏପ୍ରେସ ପ୍ରଜାତିର ଅଟେ, ଯାହା ଫିର୍ର୍‌ଜରୋୟା କୁପ୍ରେସୋଏଡିସ୍‌ ଏବଂ ପାଟାଗୋନିୟନ୍‌ କାଏପ୍ରେସ ଭାବେ ଜଣାଶୁଣା। ଏହାର ଉଚ୍ଚତା ୨୮ ମିଟର ହୋଇଥିବାବେଳେ ମୋଟେଇ ୪ ମିଟର ହେବ। ଏହା ଏକ ବହୁ ପୁରାତନ ବୃକ୍ଷ ହୋଇଥିବାରୁ ପର୍ଯ୍ୟଟକମାନେ ଏହି ସ୍ଥାନକୁ ଯାଇ ଏହି ବୃକ୍ଷର ଫଟୋ ଉଠାଇଛନ୍ତି। ଏହାର କାଣ୍ଡକୁ ଲୋକେ ଘର ତିଆରି ପାଇଁ ମଧ୍ୟ ବ୍ୟବହାର କରୁଥିଲେ। ହେଲେ ଏବେ ‘ଗ୍ରେଟ୍‌ ଗ୍ରାଣ୍ଡଫାଦର’ର ସୁରକ୍ଷାରେ ଧ୍ୟାନ ରଖିବାକୁ ପଡିବ। ଏଥିପାଇଁ ପାର୍କର ରେଞ୍ଜରଙ୍କ ସଂଖ୍ୟା ବୃଦ୍ଧି କରାଯିବ। ଏଥିସହ ପର୍ଯ୍ୟଟକଙ୍କ ପ୍ରବେଶରେ ପ୍ରତିବନ୍ଧକ ଲଗାଇବାକୁ ପଡ଼ିବ ବୋଲି ଜଣାପଡ଼ିଛି। ଏହି ବୃକ୍ଷ ଊନବିଂଶ ଶତାବ୍ଦୀରେ ବହୁଳ ପରିମାଣରେ ଲଗାଯାଇଥିବା ଜଣାପଡିଛି।

Share