ଟୋକିଓ,୨୫।୪: ବିଶ୍ୱର ସବୁଠାରୁ ବୟସ୍କା ମହିଳା କାନେ ତାନାକା ୧୧୯ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି। ୧୯୦୩ ଜାନୁୟାରୀ ୨ରେ ଜାପାନର ଦକ୍ଷିଣ-ପଶ୍ଚିମ ଫୁକୁଓକା ଅଞ୍ଚଳରେ ସେ ଜନ୍ମ ଗ୍ରହଣ କରିଥିଲେ। ୨୦୧୯ରେ ତାନାକା ଗିନିଜ୍ ବୁକ୍ ଅଫ୍ ଓ୍ବାଲର୍ଡ ରେକର୍ଡର ଅଧିକାରିଣୀ ହୋଇଥିଲେ। ବୟସ ବୃଦ୍ଧି ନେଇ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିବା ତାନାକା ଚଳିତ ମାସ ୧୯ ତାରିଖରେ ଫୁକୁଓକା ସହରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଶେଷ ସମୟ ବେଳକୁ ନର୍ସିଂ ହୋମରେ ତାନାକା ଓ୍ବାର୍ଡ ଗେମ୍ ଖେଳିବା ସହ କଠିନ ଗଣିତ ପ୍ରଶ୍ନର ସମାଧାନ କରିଥିଲେ। ଏଥିସହ ଅନ୍ୟାନ୍ୟ ଗେମ୍ ଖେଳିବା ସହ ସୋଢ଼ା ଓ ଚକ୍ଲେଟ ମଧ୍ୟ ଖାଇଥିବା ଜଣାପଡ଼ିଛି। ତେବେ ପ୍ରକାଶିତ ଏକ ରିପୋର୍ଟର ତଥ୍ୟ ଅନୁସାରେ ଜାପାନରେ ବର୍ତ୍ତମାନ ୮୬,୫୧୦ଜଣ ଶତାୟୁ ବ୍ୟକ୍ତି ଥିବା ବେଳେ ସେମାନଙ୍କ ମଧ୍ୟରେ ସର୍ବାଧିକ ମହିଳା ସାମିଲ ଅଛନ୍ତି।