ନିଜ ପସନ୍ଦର ଖାଦ୍ୟ ଖାଇବା ପରେ ପୃଥିବୀର ଦ୍ୱିତୀୟ ବୟସ୍କା ମହିଳାଙ୍କ ପରଲୋକ…

ଟୋକିଓ,୧୩।୧୨ : ପୃଥିବୀର ଦ୍ୱିତୀୟ ବୟସ୍କା ମହିଳା ଜାପାନର ଫୁସା ତତ୍ସୁମୀଙ୍କ ୧୧୬ ବର୍ଷ ବୟସରେ କାଶିୱାରାସ୍ଥିତ ଏକ ମେଡିକାଲରେ ପରଲୋକ ଘଟିଛି। ଡିସେମ୍ବର ୧୨, ମଙ୍ଗଳବାର ଦିନ ସେ ତାଙ୍କର ପ୍ରିୟ ଖାଦ୍ୟ, ବିନ ପେଷ୍ଟ ଜେଲି ଖାଇବା ପରେ ଦେହତ୍ୟାଗ କରିଥିଲେ। ତାଙ୍କ ମୃତ୍ୟୁର କାରଣ ବୃଦ୍ଧାବସ୍ଥା ବୋଲି କୁହାଯାଉଛି।

ଗତ ବର୍ଷ ୧୧୯ ବର୍ଷିୟ କେନ ତାନାକାଙ୍କ ମୃତ୍ୟୁ ପରେ ତତ୍ସୁମୀଙ୍କୁ ପୃଥିବୀର ସବୁଠାରୁ ବୟସ୍କ ବ୍ୟକ୍ତି ଭାବରେ ମାନ୍ୟତା ମିଳିଥିଲା। ଗତ ବର୍ଷ ଏପ୍ରିଲରେ ଗିନିଜ ୱାଲର୍‌ଡ ରେକର୍ଡ ତାନାକାଙ୍କୁ ବିଶ୍ୱର ସର୍ବ ପୁରାତନ ବ୍ୟକ୍ତି ମାନ୍ୟତା ଦେଇଥିଲା। ତତ୍ସୁମୀ ପୃଥିବୀର ୨୭ ତମ ବୟସ୍କ ବ୍ୟକ୍ତି ଏବଂ ଜାପାନର ସପ୍ତମ ବୟସ୍କ ବ୍ୟକ୍ତି ବୋଲି କୁହାଯାଇଛି।

 

୧୯୦୭ ମସିହାରେ ଜନ୍ମ ହୋଇଥିବା ତତ୍ସୁମୀ ତାଙ୍କର ତିନି ସନ୍ତାନ ଏବଂ ସ୍ବମୀଙ୍କ ସହ ଓସାକାରେ ରହୁଥିଲେ। ନିକଟ ଅତୀତରେ ସେ ଅଧିକାଂଶ ସମୟ ମେଡିକାଲର ଶଯ୍ୟାରେ ବିତାଇଥିଲେ। ଏକାଧିକ ରିପୋର୍ଟ ଅନୁଯାୟୀ, ତତ୍ସୁମୀଙ୍କର ପୂର୍ବରୁ ସେଭଳି କିଛି ସ୍ବାସ୍ଥ୍ୟଗତ ସମସ୍ୟା ନ ଥିଲା ଏବଂ ସେ କେବେ ବି ଗୁରୁତର ହୋଇନାହାନ୍ତି । ତେବେ ୭୦ ବର୍ଷ ବୟସରେ ଉପରୁ ଖସିଯିବା କାରଣରୁ ତାଙ୍କ ଗୋଡ ଭାଙ୍ଗି ଯାଇଥିଲା।

ତତ୍ସୁମୀଙ୍କ ମୃତ୍ୟୁ ପରେ ତାଙ୍କର ୭୬ ବର୍ଷ ବୟସ୍କ ପୁଅ କେନଜୀ କହିଛନ୍ତି ସେ ଏହି ବୟସରେ ପହଞ୍ଚି ବହୁତ ଭଲ କରିଛନ୍ତି। ଓସାକା ରାଜ୍ୟପାଳ ହିରୋଫୁମି ୟୋସିମୁରା ମଧ୍ୟ ତତ୍ସୁମୀଙ୍କ ମୃତ୍ୟୁରେ ସମବେଦନା ଜଣାଇଛନ୍ତି। ଚଳିତ ବର୍ଷ ସେପ୍ଟେମ୍ବରରେ ତତ୍ସୁମୀଙ୍କ ଦୀର୍ଘାୟୁ ପାଳନ କରିବା ପାଇଁ ଆୟୋଜିତ ଏକ ପାର୍ଟିକୁ ମନେ ପକାଇ ସେ କହିଛନ୍ତି ମୋର ମନେ ଅଛି ସେହି ସମୟରେ ତତ୍ସୁମୀ କେତେ ସୁସ୍ଥ ଥିଲେ। ବିଶ୍ୱର ସର୍ବାଧିକ ଆୟୁଷ ଥିବା ଦେଶ ମଧ୍ୟରୁ ଜାପାନ ଅନ୍ୟତମ। ଏହିପରି ଅନେକ ଲୋକ ଏଠାରେ ବାସ କରନ୍ତି, ଯେଉଁମାନେ ଦୁନିଆର ସର୍ବ ପୁରାତନ ମଣିଷମାନଙ୍କ ମଧ୍ୟରେ ଗଣିତ ହୁଅନ୍ତି ।

Share