ହିଞ୍ଜିଳିକାଟୁ,୨୧ା୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ସାରୁ ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ମଧ୍ୟାହ୍ନଭୋଜନ ଖାଦ୍ୟରେ ପୋକ ବାହାରିବାରୁ ବହୁ ଛାତ୍ରୀଛାତ୍ର ଖାଦ୍ୟ ଖାଇ ଉପବାସ ରହିଥିବା ଅଭିଯୋଗ ହୋଇଛି। ଖାଦ୍ୟରେ ପୋକ ବାହାରିବା ଭିଡିଓ ଏବଂ ଫଟୋ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ସହ ଘଟଣା ନେଇ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ସୁନୀଲ କୁମାର ପାଢ଼ୀ ଉଦ୍ବେଗ ପ୍ରକାଶ କରିଛନ୍ତି।
କିଛି ଦିନ ତଳେ ବିଦ୍ୟାଳୟକୁ ଆସିଥିବା ମଧ୍ୟାହ୍ନଭୋଜନରେ ଗୋଡ଼ି ଓ ପୋକ ବାହାରିବା ପରେ ସ୍ଥାନୀୟ ଅଭିଭାବକ ଜାଣିବା ପରେ ଉକ୍ତ ଘଟଣା ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ବ୍ରହ୍ମପୁରରୁ ଏକ ଟ୍ରଷ୍ଟ ପକ୍ଷରୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି। ମଧ୍ୟାହ୍ନଭୋଜନ ବିଦ୍ୟାଳୟ ପରିସରରେ ରୋଷେଇ କରାଯାଇ ପିଲାମାନଙ୍କୁ ଖାଇବାକୁ ଦେବା ନିମନ୍ତେ ପରିଚାଳନା ସଭାପତି ସୁନୀଲ କୁମାର ପାଢ଼ୀ, ଉପସଭାପତି ସୀମାଞ୍ଚଳ ସାହୁ, ଓ୍ବାର୍ଡ ସଭ୍ୟ ପ୍ରଶାନ୍ତ କୁମାର ପାଢ଼ୀଙ୍କ ସମେତ ବହୁ ଅଭିଭାବକ ଦାବି କରିଛନ୍ତି। ବୁଧବାର ସ୍କୁଲରେ ମଧ୍ୟାହ୍ନଭୋଜନ ଯୋଗାଣ ଖାଦ୍ୟରୁ ପୋକ ବାହାରିବା ଅଭିଯୋଗ ପରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁବାସ ଚନ୍ଦ୍ର ବେହେରା ଉଚ୍ଚ ଅଧିକାରୀଙ୍କୁ ଜଣାଇବେ ବୋଲି ସୂଚନା ଦେଇଛନ୍ତି।