ପରିତ୍ୟକ୍ତ ସରନାଳକୁ ନେଇ ଚିନ୍ତା

ଖଣ୍ଡପଡ଼ା,୩ା୭(ଅଜୟ କୁମାର ମହାରଣା): ଦୀର୍ଘବର୍ଷରୁ ଅକୁରାବନ୍ଧ ଗାଁ ମୁଣ୍ଡରେ ଥିବା ସରନାଳ ରକ୍ଷଣାବେକ୍ଷଣ ଅଭାବରୁ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି। ପାଣି ଉପରେ ଦଳ, ଘାସ ଓ ମେଘଡ଼ମ୍ବରୁ ଗଛର ଏକ ଆସ୍ତରଣ ଜମି ଏହା ଏକ ଖେଳ ପଡ଼ିଆର ଭ୍ରମ ସୃଷ୍ଟି କରୁଛି। ଦିନଥିଲା ଏହି ସରନାଳ ଉପରେ ଅକୁରାବନ୍ଧ, ବଳରାମପ୍ରସାଦ, ଘୋଡାମାରିଦ୍ୱାର ଓ ସିଧାମୂଳାବାସୀ ସ୍ନାନ ଶୌଚାଦି ପାଇଁ ନିର୍ଭର କରୁଥିଲେ। ଏବେ ସେହି ନାଳ ମଶା ଡ଼ାଉଁଶଙ୍କ ଏନ୍ତୁଡ଼ିଶାଳ ପାଲଟିଛି। ପରିତ୍ୟକ୍ତ ଅବସ୍ଥାରେ ଥିବା ଏହି ସରନାଳ ଅଞ୍ଚଳବାସୀଙ୍କ ଚିନ୍ତା ବଢାଇଛି।
ସିଧାମୂଳା ପଞ୍ଚାୟତ ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମର୧୪୧୪ ପ୍ଲଟରେ ୧୭.୬୩ ଏକର, ୬୨୯ ଖାତା ୬୯୫ ନଂ. ପ୍ଲଟରେ ଥିବା ୧୧.୫୬ ଏକର ପରିମିତରେ ଅକୁରାବନ୍ଧ ସରନାଳ ରହିଛି। ସିଧାମୂଳା ପଞ୍ଚାୟତ ସରହଦରେ ଥିବା ଏହି ବୃହତ୍‌ ଜଳାଶୟରେ ଗ୍ରାମରେ କୌଣସି ବନ୍ଧ କିମ୍ବା ପୋଖରୀ ନ ଥିବାରୁ ସିଧାମୂଳା, ଘୋଡାମାରୀଦ୍ୱାର ଓ ବଳରାମ ପ୍ରସାଦ ଗ୍ରାମର ୩ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ସ୍ନାନ,ଶୌଚାଦି ପାଇଁ ଏହି ନାଳ ଉପରେ ନିର୍ଭର କରିଥାନ୍ତି। ଏହାଛଡା ସଂପୃକ୍ତ ଅଞ୍ଚଳର ଗାଈ, ଗୋରୁ, ମେଣ୍ଢା, ମଇଁଷି ଆଦି ଗୃହପାଳିତ ପଶୁ ମଧ୍ୟ ପାଣି ପିଇବା ଓ ଗାଧୋଇବା ଆଦି କାଯର୍‌ୟ ପାଇଁ ଏହା ଉପରେ ନିର୍ଭର କରୁଥିଲେ। ଚାଷୀମାନେ ଜମିବାଡ଼ିରେ କାମ ସାରି ଏହି ସରରେ ଗାଧୋଉ ଥିଲେ। ମାତ୍ର ସରନାଳଟି କ୍ରମଶଃ ମେଘଡ଼ମ୍ବରୁ ଦଳ ଓ ବିଭିନ୍ନ ଅନାବନା ଗଛରେ ଭରପୁର ହୋଇଯିବାରୁ ଏହା ଭିତରକୁ ପଶିବା ଅସମ୍ଭବ ହୋଇପଡୁଛି। ଏହି ଦଳପୂର୍ଣ୍ଣ ସରନାଳରେ ଏବେ ସ୍ନାନ ଶୌଚାଦି ସମ୍ପନ୍ନ କରିବା ବିପଦପୂର୍ଣ୍ଣ ହୋଇଛି। ସନ୍ଧ୍ୟା ହେଲେ ସ୍ଥାନୀୟ ଲୋକେ ଅଧିକ ଭୟ କରୁଛନ୍ତି। ଏହି ସର ମଶା, ଡାଉଁଶ ଓ ସରୀସୃପଙ୍କ ବୋଲି ଗ୍ରାମର ବିଜୟ କୁମାର ସାହୁ, ଜୟକୃଷ୍ଣ ସ୍ବାଇଁ, ଗୋଲଖ ଲେଙ୍କା, ନାରାୟଣ ରାଉତ, ସନାତନ ଲେଙ୍କା, ଘନଶ୍ୟାମ ମିଶ୍ର, ସିଧାମୂଳା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଗଙ୍ଗାଧର ଷଡ଼ଙ୍ଗୀ, ମହେଶ୍ୱର ରଣା, ସୁଦର୍ଶନ ମନ୍ତ୍ରୀ ପ୍ରମୁଖ କ୍ଷୋଭର ସହିତ କୁହନ୍ତି। ଏବେ କିଛି ବର୍ଷ ହେବ ମେଘ ଡ଼ମ୍ବରୁ ଦଳ ଓ ବିଭିନ୍ନ ଅନାବନା ଘାସର ଏକ ଆସ୍ତରଣ ସରନାଳକୁ ଆବୃତ କରି ରଖିଛି। ଫଳରେ ଜଳାଶୟ ମଧ୍ୟକୁ ସାଧାରଣ ମଣିଷ କ’ଣ ଗୋରୁ ଗାଈ ମଧ୍ୟ ପଶିବାକୁ ଭୟ କରୁଛନ୍ତି। ଫଳରେ ଉକ୍ତ ସରନାଳଟି ଲୋକ କିମ୍ବା ଗୃହ ପାଳିତ ପଶୁମାନଙ୍କ ବ୍ୟବହାରରେ ଆସି ପାରୁନାହଁି। ଉକ୍ତ ଜଳାଶୟର ପୁନରୁଦ୍ଧାର ଉପରେ ବୁଦ୍ଧିଜୀବୀ ଗୁରୁତ୍ୱାରୋପ କରିଛନ୍ତି। ଏହାର ପ୍ରତିକାର ତଥା ପୁନରୁଦ୍ଧାର ପାଇଁ ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Share