ଅନୁଦାନ ରାଶିକୁ ନେଇ ଉଦ୍‌ବେଗ

ବାରିପଦା,୯।୮(ନୀଳାଦ୍ରି ବିହାରୀ ଦଣ୍ଡାପାଟ): ମୟୂରଭଞ୍ଜ ଜିଲାର ଐତିହ୍ୟ ବହନ କରୁଥିବା ମା’ କୀଚକେଶ୍ୱରୀ ମନ୍ଦିରର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ପ୍ରଦତ୍ତ ଅନୁଦାନ ରାଶିକୁ ନେଇ ଜିଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟ ଜିଲାର ଦେବାଦେବୀ ମନ୍ଦିର ଓ ପୀଠ ତୁଳନାରେ ଆଶାତୀତ କମ ଅନୁଦାନ ପ୍ରଦାନ କରାଯାଇଥିବା ନେଇ ଭଞ୍ଜସେନା ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ନେଇ ପୁର୍ନବିଚାର କରିବାକୁ ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟୁଇଟ ଯୋଗେ ଅବଗତ କରିଛନ୍ତି। ଆବଶ୍ୟକ ଅନୁଯାୟୀ ପଦକ୍ଷେପ ଗ୍ରହଣ ନ କଲେ ଜିଲା ବନ୍ଦ ଡାକରା ଦିଆଯିବ ବୋଲି ସଙ୍ଗଠନର ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।
ସୂଚନାଯୋଗ୍ୟ, ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ କୀଚକେଶ୍ୱରୀ ମନ୍ଦିରର ସୌର୍ନ୍ଦ୍ୟକରଣ ନିମନ୍ତେ ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ମାର୍ଚ୍ଚ ମାସରେ ଜିଲା ଗସ୍ତ କରି ପରିଦର୍ଶନ କରିଥିଲେ ା ଏହାକୁ ନେଇ ମନ୍ଦିରର ରୂପାନ୍ତରୀକରଣ ନିମନ୍ତେ ୮.୯୯କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯିବା ପରେ କାର୍ଯ୍ୟାରମ୍ଭ ନେଇ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ଅନ୍ୟ ଜିଲା ତୁଳନାରେ ମୟୂରଭଞ୍ଜ ଭଳି ସଂସ୍କୃତି, ପରମ୍ପରା ଓ ଐତିହ୍ୟ ସମ୍ପନ୍ନ ଜିଲା ପ୍ରତି ବୈମାତୃକ ମନୋଭାବକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ରାଜ୍ୟର ବିଭିନ୍ନ ମନ୍ଦିରଗୁଡ଼ିକୁ ଶହ ଶହ କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯାଉଥିବା ବେଳେ ସ୍ବଳ୍ପ ଅନୁଦାନରେ ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ହେବାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହାର ସୁବିଚାର ପୂର୍ବକ ପଦକ୍ଷେପ ଗ୍ରହଣ କରା ନ ଗଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଜେନା ପ୍ରକାଶ କରିଛନ୍ତି।