କାର୍ତ୍ତିକ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ପାଳନ କରାଯାଇଥାଏ ଆନନ୍ଦ ଉଲ୍ଲାସର ପର୍ବ ଦୀପାବଳି। ଏହି ରାତିଟି ଅମା ଅନ୍ଧାକାର ହୋଇଥିଲେ ମଧ୍ୟ ଦୀପ ଆଲୋକରେ ସମଗ୍ର ଅଞ୍ଚଳ ହୋଇଥାଏ ଆଲୋକିତ। ପୌରାଣିକ କଥା ଅନୁସାରେ, ଦୀପାବଳିରେ ଧନ ସମ୍ପଦ ଏବଂ ଶାନ୍ତି ପାଇଁ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରାଯାଇଥାଏ। ଏଥିସହିତ ବିଘ୍ନ ବିନାଶକ ଗଣେଶଙ୍କୁ ମଧ୍ୟ ଆରାଧନା କରାଯାଏ। ଧାର୍ମିକ ମତରେ, ଏହି ଅମାବାସ୍ୟାରେ ସମୁଦ୍ର ମନ୍ଥନ ସମୟରେ ମା’ ଲକ୍ଷ୍ମୀ ଜନ୍ମ ନେଇଥିଲେ। ଏହି କାରଣରୁ ଅନେକ ସ୍ଥାନରେ ଆଜିର ଦିନଟିକୁ ମା’ ଲକ୍ଷ୍ମୀଙ୍କ ଜନ୍ମଦିବସ ଭାବରେ ପାଳନ କରାଯାଏ।
ମା’ ଲକ୍ଷ୍ମୀଙ୍କ ସହିତ କରାଯାଏ ଗଣେଶଙ୍କ ପୂଜା :
ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଏ। ପୌରାଣିକ କଥା ଅନୁସାରେ, ଲକ୍ଷ୍ମୀଙ୍କ ଅଭିମାନ ଭାଙ୍ଗିବା ପାଇଁ ସ୍ବୟଂ ଭଗବାନ ବିଷ୍ଣୁ କହିଥିଲେ, ନାରୀ ସେତେବେଳେ ଯାଏ ପୂର୍ଣ୍ଣତା ପ୍ରାପ୍ତି କରନ୍ତି ନାହିଁ ଯେତେବେଳ ଯାଏ ସେ ମା’ ହୋଇ ନ ଥାନ୍ତି। ବିଷ୍ଣୁଙ୍କର ଏହି କଥା ଶୁଣି ମା’ ଲକ୍ଷ୍ମୀ ନିରାଶ ହୋଇଗଲେ। କାରଣ ତାଙ୍କର କୌଣସି ସନ୍ତାନ ନ ଥିଲେ। ଏହା ପରେ ମା’ ଲକ୍ଷ୍ମୀ ଦେବୀ ପାର୍ବତୀଙ୍କ ପାଖରେ ପହଞ୍ଚି ତାଙ୍କୁ ଏକ ପୁତ୍ର ଦେବା ପାଇଁ କହିଲେ। ଲକ୍ଷ୍ମୀଙ୍କ ଦୁଃଖ ବୁଝିପାରି ମାତା ପାର୍ବତୀ ଗଣେଶ କାର୍ତ୍ତିକଙ୍କ ଦୁଇ ପୁତ୍ରଙ୍କ ମଧ୍ୟରୁ ଗଣେଶଙ୍କୁ ମା’ ଲକ୍ଷ୍ମୀଙ୍କୁ ଦେଇଦେଲେ। ଗଣେଶଙ୍କୁ ପାଇ ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଗଲେ। ତେଣୁ ସୁଖ ସମୃଦ୍ଧି ପାଇଁ ସର୍ବ ପ୍ରଥମେ ଗଣେଶଙ୍କୁ ପୂଜା କରାଯିବ ବୋଲି କହିଲେ। ଗଣେଶ ପ୍ରଥମେ ପୂଜା ପାଇଲେ ମୋ’ ପୂଜା ସମ୍ପୂର୍ଣ୍ଣ ହେବ ବୋଲି ମାତା ଲକ୍ଷ୍ମୀ କହିଥିଲେ। ଏହି କାରଣରୁ ଦୀପାବଳିରେ ମା’ ଲକ୍ଷ୍ମୀଙ୍କ ସହିତ ସିଦ୍ଧିଦାତା ଗଣେଶଙ୍କ ପୂଜା କରାଯାଏ।