‘ଚାଇନାରୁ ଆସିଛି କରୋନା’ ଏକଥା କେବେ ଭୁଲିବେ ନାହିଁ ଟ୍ରମ୍ପ: କ୍ଷମତାକୁ ଆସିଲେ କାଟିବେ ସମ୍ପର୍କ

ୱାଶିଂଟନ,୨୬ ।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ କହିଛନ୍ତି କରୋନା ଭାଇରସ ଯେ ଚାଇନାରୁ ଆସିଛି ସେ ଏହାକୁ କେବେବି ଭୁଲିବେ ନାହିଁ । ଯଦି ଏଥର ଆମେରିକାବାସୀ ତାଙ୍କୁ ଶାସନ କ୍ଷମତା ଦେବେ ତେବେ ସେ ଚାଇନା ଉପରେ ରଖି୍‌ଥିବା ନିର୍ଭରତାକୁ ସମ୍ପୂର୍ଣ୍ଣ ଭାବେ କାଟିଦେବେ । ଏହାସହ ବେଜିଂ ସହ କରୋନା ଭାଇରସ ସଂକ୍ରମଣ ପରେ ପୂର୍ବପରି ସମ୍ପର୍କ ରହିବ ନାହିଁ ବୋଲି ଟ୍ରମ୍ପ ଦୃଢତାର ସହ କହିଛନ୍ତି । ନଭେମ୍ବର ୩ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଟ୍ରମ୍ପ ଶୁକ୍ରବାର ନ୍ୟୁଫୋର୍ଟ ଭର୍ଜିନିୟାରେ ଏକ ନିର୍ବାଚନ ରାଲିକୁ ସମ୍ବୋଧନ କରିବା ବେଳେ ଏହା କହିଛନ୍ତି । ଟ୍ରମ୍ପ କହିଛନ୍ତି ଚାଇନାରୁ ଆସିଥିବା କରୋନା ଭାଇରସ ପାଇଁ ଆମେରିକାର ଅର୍ଥବ୍ୟବସ୍ଥା ଭୁଷୁଡି ପଡିଛି । ଦେଶ ଏକ ପ୍ରକାର ବନ୍ଦ ହୋଇଯାଇଛି । ଲକ୍ଷ ଲକ୍ଷ ସଂଖ୍ୟାରେ ଜୀବନହାନି ଘଟିଛି । ତେଣୁ କରୋନା ଯେ ଚାଇନାରୁ ଆସିଥିଲା ଏହାକୁ ସେ କେବେ ଭୁଲିବେ ନାହିଁ । ସୂଚନାଯୋଗ୍ୟ କରୋନା ସଂକ୍ରମଣରେ ସର୍ବାଧିକ ପ୍ରଭାବିତ ହୋଇଛି ଆମେରିକା । ଏଠାରେ ଲକ୍ଷ ଲକ୍ଷ ଲୋକ କରୋନା ଦ୍ୱାରା ସଂକ୍ରମିତ ହୋଇଥିବା ବେଳେ ପାଖାପାଖି ୨ ଲକ୍ଷ ଲୋକଙ୍କର ମୃତ୍ୟୁ ମଧ୍ୟ ହେଲାଣି ।

Share