ଘରୁ ମିଳିଲା ପ୍ରେମୀ ଯୁଗଳଙ୍କ କ୍ଷତାକ୍ତ ମୃତଦେହ : ଅନର କିଲିଂ ସନ୍ଦେହ

ପାରଳାଖେମୁଣ୍ଡି,୮ା୩: ଗଜପତି ଜିଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଆରିବା ଗ୍ରାମରେ ରବିବାର ରାତିରେ ଏକ ଘରୁ ଜଣେ ଯୁବତୀ ଓ ଯୁବକଙ୍କ କ୍ଷତାକ୍ତ ମୃତଦେହ ପୋଲିସ ଜବତ କରିଛି। ସୋମବାର ସାଇଣ୍ଟିଫିକ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଉଭୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ମୁଖ୍ୟ ଡାକ୍ତରଖାନା ପଠାଇଛି। ପୋଲିସ ଘଟଣା ସ୍ଥଳରୁ ଏକ ଛୁରୀ, ଜୋତା ଓ ଚୁଡି ଜବତ କରିଛି। ମୃତକଙ୍କ ପରିବାର ଲୋକେ ଘଟଣା ପଛରେ କିଛି ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରୁଛନ୍ତି। ଏ ନେଇ ପୋଲିସ ଏକ ମାମଲା(ନଂ.୨/୨୧) ରୁଜୁ ହୋଇଥିବା ଗୁରାଣ୍ଡି ଥାନା ଭାରପ୍ରାପ୍ତ ଅଧିକାରୀ ମମତା ପଣ୍ଡା କହିଛନ୍ତି।
ଗ୍ରାମର କିଛି ଲୋକ କହିଛନ୍ତି, ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ଏହାକୁ ପରିବାର ଲୋକେ ଗ୍ରହଣ କରୁ ନ ଥିଲେ। ତେଣୁ ଯୁବତୀଙ୍କୁ ଅନ୍ୟତ୍ର ବିବାହ କରିବା ପାଇଁ ସ୍ଥିର ହୋଇଥିଲା। ଆସନ୍ତା ଶୁକ୍ରବାର ନିର୍ବନ୍ଧ ହୋଇଥାନ୍ତା। ତେଣୁ ଏହା ପୂର୍ବରୁ ଉଭୟେ ଚରମ ନିଷ୍ପତ୍ତି ନେଇଥିବା ପୋଲିସ ଅନୁମାନ କରୁଛି। ଅନ୍ୟପକ୍ଷେ ଘର ବାହାରେ ଜୋତା ଓ ଚୁଡ଼ି ମିଳିଥିବାରୁ ମୃତକଙ୍କ ସମ୍ପର୍କୟ ଏହି ଘଟଣା ପଛରେ ଅନ୍ୟ କାହାର ହାତ ଥିବା ସନ୍ଦେହ କରୁଛନ୍ତି। ମୃତ ଯୁବତୀ, ଯୁବକଙ୍କ ମୋବାଇଲ କଲ ରେକର୍ଡ ଯାଞ୍ଚ କରି ବିଧିବଦ୍ଧ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରପଞ୍ଚ ସନମୁଖ ରାଓ, ଯୁବତୀଙ୍କ ମାମୁଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି।

Share