Categories: ବାଣିଜ୍ୟ

ବାପାଙ୍କ କଟାକ୍ଷ ସତ୍ତ୍ୱେ ବିକିଥିଲେ ମୋମୋ, ଏବେ ଛିଡ଼ାକଲେ ୨୦୦୦ କୋଟିର କମ୍ପାନୀ

ନୂଆଦିଲ୍ଲୀ,୨୬।୮: ଦେଶରେ ଫାଷ୍ଟଫୁଡ୍‌ ବ୍ୟବସାୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଆଜିକାଲି ପିଜା-ବର୍ଗର ଅଥବା ଅନ୍ୟ ଫାଷ୍ଟଫୁଡ୍‌ ଖାଇବାକୁ ରେଷ୍ଟୁରାଣ୍ଟ ଯିବାକୁ ପଡ଼ୁନାହିଁ, ପ୍ରତି ଗଳିକନ୍ଦିରେ ଏହା ସହଜରେ ଉପଲବ୍ଧ ହେଉଛି। ବିଶେଷକରି ମୋମୋ ଏବେ ପିଜା-ବର୍ଗରକୁ ସାଧାସଳଖ ଟକ୍କର ଦେଉଛି। ଏହାର ବଜାର ସାରା ଦେଶରେ କିଭଳି ବୃଦ୍ଧି ପାଇଛି ତାହାର ପ୍ରତ୍ୟକ୍ଷ ଉଦାହରଣ ହେଉଛି ‘ଓ୍ବାଓ ମୋମୋ’। ଏହାର ସହ ପ୍ରତିଷ୍ଠାତାଙ୍କ କାହାଣୀ ଅତ୍ୟନ୍ତ କୌତୁହଳପୂର୍ଣ୍ଣ। କାରଣ ସେ ମୋମୋ ବିକ୍ରୟ କରି ୨୦୦୦ କୋଟିର କମ୍ପାନୀ ଛିଡ଼ା କରିଛନ୍ତି। ଆସନ୍ତୁ ତାଙ୍କ ବିଷୟରେ ବିସ୍ତୃତ ଭାବେ ଜାଣିବା…

ପିଲାମାନଙ୍କୁ ଭଲ ଶିକ୍ଷା ଦେବା ଲାଗି ସବୁ ମାତାପିତା ଚାହାନ୍ତି। କାରଣ ଶିକ୍ଷିତ ହେବା ପରେ ସେମାନେ ଡାକ୍ତର, ଇଞ୍ଜିନିୟର, ପାଇଲଟ୍‌ କିମ୍ବା ଅନ୍ୟ ଅଫିସର ହୋଇପାରିବେ। ଭଲ ଦରମା ପାଇଁ ବିଳାସପୂର୍ଣ୍ଣ ଜୀବନଯାପନ କରନ୍ତୁ। ହେଲେ ଭଲ ଚାକିରି କେବେହେଳେ ସୁଖୀ ଜୀବନର ଗ୍ୟାରେଣ୍ଟି ଦିଏ ନାହିଁ। ବ୍ୟବସାୟ କ୍ଷେତ୍ରରେ ସଠିକ୍‌ ଧାରଣା ସହ ଏକ ଛୋଟ ଆରମ୍ଭ ପରବର୍ତ୍ତୀ ସମୟରେ ଜଣଙ୍କୁ ବହୁତ ଉପରକୁ ନେଇପାରେ। କିଛି ଏଭଳି କାହାଣୀ ହେଉଛି ‘ଓ୍ବାଓ ମୋମୋ’ର ସହ ପ୍ରତିଷ୍ଠାତା ସାଗର ଦରୟାଣୀଙ୍କର।

ସାଗରଙ୍କ ମାତାପିତା ତାଙ୍କୁ ପାଠପଢ଼ି ଭଲ ଚାକିରି କରନ୍ତୁ ବୋଲି ଚାହୁଁଥିଲେ। ହେଲେ ତାଙ୍କ ମୁଣ୍ଡରେ ଆଉ କିଛି ଭିନ୍ନ କରିବାର ଚିନ୍ତା ସବୁବେଳେ ରହୁଥିଲା। କୋଲକାତାର ସେଣ୍ଟ ଜାଭିଅର୍ସ କଲେଜରେ ଗ୍ରାଜୁଏଶନ ପଢ଼ୁଥିବା ବେଳେ ତାଙ୍କୁ ମୋମୋ ବିକ୍ରି କରିବାକୁ ଚାହିଁଥିଲେ। ସେତେବେଳେ ଏହାକୁ ଲୋକେ ଚାଇନାର ଫାଷ୍ଟଫୁଡ୍‌ ବୋଲି ଲୋକେ ଜାଣିଥିଲେ। ସେ ଏନେଇ ପରିବାରଲୋକଙ୍କୁ ଜଣାଇଥିଲେ। ହେଲେ ସମସ୍ତେ ତାଙ୍କ ମୁହଁରୁ ଏଭଳି କଥା ଶୁଣି ଚମକି ପଡ଼ିଥିଲେ। ଅସନ୍ତୋଷ ସତ୍ତ୍ୱେ ସାଗର ୨୦୦୮ରେ ବନ୍ଧୁ ବିନୋଦ କୁମାରଙ୍କ ସହ ମିଶି ‘ଓ୍ବାଓ ମୋମୋ’ର ଏକ ଦୋକାନ ଖୋଲିଥିଲେ। ପୁଅଙ୍କ ଏଭଳି କାମ ବିଷୟରେ ଜାଣିବା ପରେ ବାପା ତାଙ୍କୁ କଟାକ୍ଷ କରିଥିଲେ। ଏପରିକି ମୋ ପୁଅ ଏବେ ମୋମୋ ବିକିବ ବୋଲି କହିଥିଲେ। ହେଲେ ସେହି ମୋମୋ ଦୋକାନ ଏବେ ୨୦୦୦ କୋଟି ଟଙ୍କାର କମ୍ପାନୀରେ ପରିବର୍ତ୍ତିତ ହୋଇଛି।

ବନ୍ଧୁଙ୍କ ସହ ମିଶି ଛୋଟ ଦୋକାନରୁ ଆରମ୍ଭ କରିଥିବା କାମକୁ ଲୋକେ ପସନ୍ଦ କରିଥିଲେ। ଲଗାତାର ଭାବେ ଦୋକାନ ଆଗରେ ଗହଳି ପରିଲକ୍ଷିତ ହୋଇଥିଲା। ପରେ ଏହା ଏକ ଆଉଟଲେଟରେ ପରିଣତ ହୋଇଥିଲା। ପ୍ରାରମ୍ଭରେ ଟଙ୍କାର ଅଭାବ, କର୍ମଚାରୀଙ୍କ ଅଭାବ ଆଦି ଦେଖାଯାଇଥିଲା। ହେଲେ ସାଗର ହାରି ନ ଯାଇ ନିଜର ବ୍ରାଣ୍ଡର ପ୍ରମୋଶନ ଭିନ୍ନ ଧରଣରେ କରିଥିଲେ।

ସାଗର ଓ୍ବାଓ ମୋମୋର ସ୍ଲୋଗାନ ଥିବା ଟି-ଶର୍ଟ ପ୍ରିଣ୍ଟ କରିଥିଲେ। ଏହାକୁ ନିଜେ ପିନ୍ଧିବା ସହ ଆଉଟଲେଟ୍‌ରେ ଥିବା କର୍ମଚାରୀଙ୍କୁ ପିନ୍ଧିବାକୁ କହିଥିଲେ। ଧିରେ ଧିରେ ଲୋକେ ତାଙ୍କୁ ଚିହ୍ନିବା ଆରମ୍ଭ କରିଥିଲେ। ଏହାଛଡ଼ା ଭିନ୍ନ ଧରଣର ମୋମୋ, ଯେପରିକି ତନ୍ଦୁରୀ ମୋମୋ, କୋକଲେଜ ମୋମୋ, ଫ୍ରାଇ ମୋମୋ ଆଦି ଆରମ୍ଭ କରିଥିଲେ। ସାଗରଙ୍କ ଏହି ପ୍ରୟାସ ଫଳପ୍ରଦ ହୋଇଥିଲା।

ଆଜି ଏହି କମ୍ପାନୀ ସାରା ଦେଶରେ ନିଜର ବ୍ରାଞ୍ଚ ଖୋଲିଛି। ସାରା ଦେଶର ୨୬ ରାଜ୍ୟରେ ଏହାର ୬୦୦ରୁ ଅଧିକ ଆଉଟ୍‌ଲେଟ୍‌ ରହିଛି। ପ୍ରତ୍ୟେକ ଦିନ ପ୍ରାୟ ୬ ଲକ୍ଷ ମୋମୋ ବିକ୍ରି କରାଯାଉଛି। କମ୍ପାନୀର ମୂଲ୍ୟ ବିଷୟରେ କହିଲେ ଏହା ୨୦୦୦ କୋଟି ଅତିକ୍ରମ କରିଛି। ସାଗର ନିଜେ ଏଥିରୁ ରୋଜଗାର କରିବା ସହ ଅନେକ ଲୋକଙ୍କୁ ରୋଜଗାର ଦେଉଛନ୍ତି।

Share