ଗୋଟିଏ ପାଦ ପଛକୁ ହଟିଲେ ବ୍ରିଜ ଭୂଷଣ! ଅଯୋଧ୍ୟାରେ ହେବାକୁ ଥିବା ରାଲି ରଦ୍ଦ

ନୂଆଦିଲ୍ଲୀ,୨।୬: ଗୋଟିଏ ପଟେ କୁସ୍ତି ଯୋଦ୍ଧାଙ୍କ ସମର୍ଥନରେ ଡକାଯାଇଥିବା ମହାପଞ୍ଚାୟତର ଶୁକ୍ରବାର ଦ୍ୱିତୀୟ ଦିନ ହୋଇଥିବା ବେଳେ, ଅନ୍ୟପଟେ ବ୍ରିଜ ଭୂଷଣ ଶରଣ ସିଂଙ୍କ ସମର୍ଥନରେ ଅଯୋଧ୍ୟାରେ ଡକାଯାଇଥିବା ଜନ ଚେତନା ମହାରାଲିକୁ ରଦ୍ଦ କରି ଦିଆଯାଇଛି। ଏମପିି ତଥା ଡବ୍ଲୁଏଫଆଇର ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂ ୫ ଜୁନରେ ହେବାକୁ ଥିବା ଏହି ରାଲିରେ ୧୧ ଲକ୍ଷ ଲୋକ ଏକାଠି ହେବା ଓ ତାଙ୍କୁ ସମର୍ଥନ ଦେବେ ବୋଲି ଦାବି କରିଥିଲେ।

ଏହି ଜନ ସଚେତନତା ରାଲି ଅଯୋଧ୍ୟା ରାମକଥା ପାର୍କରେ ଅନୁଷ୍ଠିତ ହେବାର ଥିଲା। ବ୍ରିଜଭୂଷଣ ଶରଣ ସିଂ ଏକ ଫେସବୁକ ପୋଷ୍ଟ ଜରିଆରେ ଏହି ରାଲିର ବାତିଲ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଫେସବୁକରେ ଲେଖିଛନ୍ତି, ମୋର ପ୍ରିୟ ଶୁଭେଚ୍ଛୁ! ଆପଣଙ୍କ ସହଯୋଗରେ ମୁଁ ଗତ ୨୮ବର୍ଷ ଧରି ଲୋକସଭାର ସଦସ୍ୟ ଭାବରେ କାର୍ଯ୍ୟ କରିଛି। କ୍ଷମତା ଏବଂ ବିରୋଧୀ ଥିବାବେଳେ ମୁଁ ସମସ୍ତ ଜାତି, ସମ୍ପ୍ରଦାୟ ଏବଂ ଧର୍ମର ଲୋକଙ୍କୁ ଏକଜୁଟ କରିବାକୁ ଚେଷ୍ଟା କରିଛି। ଏହି କାରଣରୁ ମୋର ରାଜନୈତିକ ବିରୋଧୀ ଏବଂ ସେମାନଙ୍କ ଦଳ ମୋ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ଆଣିଛନ୍ତି।
ବ୍ରିଜ ଭୂଷଣ ଶରଣ ସିଂ ଆହୁରି ଲେଖିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ କେତେକ ରାଜନୈତିକ ଦଳ ବିଭିନ୍ନ ସ୍ଥାନରେ ରାଲି କରି ପ୍ରାଦେଶିକତା, ଆଞ୍ଚଳିକତା ଏବଂ ଜାତି ବିବାଦକୁ ପ୍ରୋତ୍ସାହିତ କରି ସାମାଜିକ ସୌହାର୍ଦ୍ଦ୍ୟକୁ ଭଣ୍ଡୁର କରିବାକୁ ଚେଷ୍ଟା କରୁଛନ୍ତି। ଉଦ୍ଦେଶ୍ୟ ହେଉଛି ସମଗ୍ର ସମାଜରେ ବ୍ୟାପିଥିବା ମନ୍ଦ ବିଷୟରେ ବିଚାର କରିବା ପାଇଁ ୧ଜୁନ ରେ ଅଯୋଧ୍ୟାରେ ଏକ ସନ୍ଥ ସମ୍ମିଳନୀର ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା, କିନ୍ତୁ ବର୍ତ୍ତମାନ ପୋଲିସ ଏହି ଅଭିଯୋଗର ଅନୁସନ୍ଧାନ କରୁଛି ଏବଂ ସୁପ୍ରିମକୋର୍ଟଙ୍କ ଗୁରୁତର ନିର୍ଦ୍ଦେଶକୁ ସମ୍ମାନ କରୁଛି। ଜନ ଚେତନା ମହାରାଲୀ, ଜୁନ ୫, ଅଯୋଧ୍ୟା ଚଲୋ କାର୍ଯ୍ୟକ୍ରମ କିଛି ଦିନ ପାଇଁ ସ୍ଥଗିତ ରଖାଯାଇଛି।

Share