ଚିବା,୭।୮: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ରେସଲର ବଜରଙ୍ଗ ପୁନିଆ ଶନିବାର ବ୍ରୋଞ୍ଚ ପଦକ ଜିତିଛନ୍ତି। ସେ କାଜାଖସ୍ତାନର ଖେଳାଳି ଡୁଲେଟ୍ ନିୟାଜବେକୋଭଙ୍କୁ ୮-୦ରେ ପରାସ୍ତ କରିଛନ୍ତି।
ପାରମ୍ପରିକ ଲେଗ୍ ଡିଫେନ୍ସ ଦୁର୍ବଳତା ଯୋଗୁ ସେ ୬୫ କେଜି ପୁରୁଷ ଫ୍ରିଷ୍ଟାଇଲ୍ କୁସ୍ତିର ସେମିଫାଇନାଲରେ ହାରି ଯାଇଥିଲେ। ଫଳରେ ସେ ଶନିବାର ବ୍ରୋଞ୍ଚ ପଦକ ପାଇଁ ଲଢ଼ିଥିଲେ।
ତେବେ ଚଳିତ ଅଲିମ୍ପିକ୍ସରେ ରହି ଦହିୟା ୫୭ କେଜି ବିଭାଗରେ ରୋପ୍ୟ ପଦକ ପାଇସାରିଛନ୍ତି। ସେହିଭଳି ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ସୁଶୀଲ କୁମାର ରୋପ୍ୟ ଏବଂ ଯୋଗେଶ୍ୱର ଦତ୍ତ ବ୍ରୋଞ୍ଚ ପଦକ ପାଇଥିଲେ।