Categories: ଜାତୀୟ

ସୁଶୀଲଙ୍କୁ ଧରାଇଲେ ମିଳିବ ୧ ଲକ୍ଷ ଟଙ୍କା

ନୂଆଦିଲ୍ଲୀ, ୧୮।୫ : ଅଲିମ୍ପିକ୍ସରେ ଦୁଇ ଥର ପଦକ ଜିତିଥିବା ଦେଶର ଏକମାତ୍ର ଆଥ୍‌ଲେଟ୍‌ ସୁଶୀଲ କୁମାରଙ୍କୁ ପାଉନି ଦିଲ୍ଲୀ ପୋଲିସ। ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ଯୁବ ରେସଲର ସାଗର ରାଣା ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ସୁଶୀଲଙ୍କୁ ଦୁଇ ସପ୍ତାହ ହେଲା ପୋଲିସ ଖୋଜୁଛି। ଦିଲ୍ଲୀ ସମେତ ପଡ଼ୋଶୀ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିଫଳ ହେବା ପରେ ଦିଲ୍ଲୀ ପୋଲିସ କିମ୍ବଦନ୍ତୀ କୁସ୍ତିଯୋଦ୍ଧାଙ୍କ ମୁଣ୍ଡ ଉପରେ ଘୋଷଣା କରିଛି ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି।

ଯେ କେହି ସୁଶୀଲଙ୍କ ସମ୍ପର୍କରେ ସୂଚନା ଦେବ, ତାଙ୍କୁ ଦିଲ୍ଲୀ ପୋଲିସ ପକ୍ଷରୁ ଏହି ଅର୍ଥ ରାଶି ପ୍ରଦାନ କରାଯିବ। ତାଙ୍କ ସହଯୋଗୀ ଅଜୟଙ୍କ ମୁଣ୍ଡ ଉପରେ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିବା ଦିଲ୍ଲୀ ପୋଲିସ ଅଧିକାରୀ କହିଛନ୍ତି।

ପୂର୍ବରୁ ୨୩ ବର୍ଷୀୟ କୁସ୍ତିଯୋଦ୍ଧାଙ୍କ ହତ୍ୟା କାଣ୍ଡରେ ସମ୍ପୃକ୍ତ ସୁଶୀଲଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଥିଲେ ଦିଲ୍ଲୀ ହାଇକୋର୍ଟ। ତେବେ ଦେଶର ସବୁଠୁ ସଫଳତମ ରେସଲର ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି, ଯାହାର ଶୁଣାଣି ମଙ୍ଗଳବାର ହେବାର ଅଛି।

ଚଳିତ ମାସ ୪ ତାରିଖରେ ଛତ୍ରସାଲ ଷ୍ଟାଡିୟମରେ କିଛି ଯୁବ ରେସଲରଙ୍କୁ ଆକ୍ରମଣ କରିଥିଲେ ସୁଶୀଲ ଓ ତାଙ୍କ ସହଯୋଗୀ। ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାବେଳେ ସାଗରଙ୍କ ମୃତ୍ୟୁ ଘଟିଥିଲା। ତା’ର ପର ଦିନ ହତ୍ୟାକାଣ୍ଡରେ କୌଣସି ପ୍ରକାର ସମ୍ପୃକ୍ତି ନ ଥିବା କହିଥିଲେ ସୁଶୀଲ।

Share