Categories: ଖେଳ

ଅମନ ଜିତିଲେ ବ୍ରୋଞ୍ଜ୍‌

ପ୍ୟାରିସ୍‌, ୧୦ା୮: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ରେ ଭାରତ ପାଇଁ ଷଷ୍ଠ ପଦକ ଜିତିଛନ୍ତି ରେସ୍‌ଲର ଅମନ ସେରାଓ୍ବତ୍‌। ୫୭ କିଗ୍ରା ଓଜନ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଅମନ୍‌ ଶୁକ୍ରବାର ଅନୁଷ୍ଠିତ ବ୍ରୋଞ୍ଜ ପଦକ ପ୍ଲେ ଅଫ୍‌ ମ୍ୟାଚ୍‌ରେ ପୁଏର୍ଟାରିକୋର କ୍ରୁଜ ଡାରିଆନ୍‌ ଟୋଇଙ୍କୁ ୧୩-୫ରେ ପରାସ୍ତ କରିଛନ୍ତି। ଏହା ସହ ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତ କୁସ୍ତିରୁ ଏହାର ପ୍ରଥମ ପଦକ ଜିତିବାରେ ସଫଳ ହୋଇଛି। ସେହିପରି ଅମନ (୨୧ ବର୍ଷ) ଅଲିମ୍ପିକ୍ସରେ ସର୍ବକନିଷ୍ଠ ପଦକ ବିଜେତା ହେବାର ଗୌରବ ଅର୍ଜନ କରିଛନ୍ତି। ପ୍ରଥମରୁ ଅମନ ୨ ପଏଣ୍ଟର ଅଗ୍ରଣୀ ହାସଲ କରିଥିବା ବେଳେ କ୍ରୁଜ୍‌ ୩ ପଏଣ୍ଟ ହାସଲ କରିଥିଲେ। ତେବେ ଏହାପରେ ଅମନ ନିରନ୍ତର ଆକ୍ରମଣାତ୍ମକ ପ୍ରଦର୍ଶନ କରିବା ସହ ୧୩-୫ରେ ବିଜୟ ହାସଲ କରିଥିଲେ। ଏହା ସହିତ ଶୁକ୍ରବାର ସୁଦ୍ଧା ଭାରତ ୧ ରୌପ୍ୟ ଓ ୫ ବ୍ରୋଞ୍ଜ ସହ ମୋଟ ୬ ପଦକ ହାସଲ କରିଛି। ଗୁରୁବାର ୨୧ ବର୍ଷୀୟ ଅମନ ଦ୍ୱିତୀୟ ରାଉଣ୍ଡରେ ୨୦୨୨ର ବିଶ୍ୱ ଚାମ୍ପିୟନ ଆଲବାନିଆ ଜେଲିମଖାନ ଆବାକାରୋଭଙ୍କୁ ପରାସ୍ତ କରିଥିଲେ। ପ୍ରଥମ ରାଉଣ୍ଡରେ ନର୍ଥ ମାସେଡୋନିଆର ପୂର୍ବତନ ୟୁରୋପିଆନ ଚାମ୍ପିୟନ ଭ୍ଲାଡିମିର ଇଗୋରୋଭଙ୍କୁ ୧୦-୦ରେ ସହଜରେ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ଥିଲେ। ତେବେ ସେମି ଫାଇନାଲରେ ଜାପାନର ହିଗୁଚି ରାଇଙ୍କ ନିକଟରୁ ପରାଜିତ ହେବା ସହ ବ୍ରୋଞ୍ଜ ପଦକ ପ୍ଲେ ଅଫ୍‌ ଖେଳିଥିଲେ। ଅଲିମ୍ପିକ୍ସ ରେସ୍‌ଲିଂରେ ଏହା ଭାରତର ସପ୍ତମ ପଦକ।

Share