ନୂଆଦିଲ୍ଲୀ,୩୦।୫: ରେସଲିଂ ଫେଡେରେଶନ ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଆନ୍ଦୋଳନ କରୁଥିବା କୁସ୍ତିଯୋଦ୍ଧାମାନେ ସଂଯୁକ୍ତ କିଷାନ ମୋର୍ଚ୍ଚାର ସମର୍ଥନ ପାଇଛନ୍ତି। ମଙ୍ଗଳବାର କୁସ୍ତିଯୋଦ୍ଧାଙ୍କ ସହ ବୈଠକ ପରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଏକ ବଡ଼ ଘୋଷଣା କରିଛି। ଜୁନ ୧ ତାରିଖରେ ସଂଯୁକ୍ତ କିଷାନ ମୋର୍ଚ୍ଚା ବ୍ରିଜ ଭୂଷଣଙ୍କ ବିରୋଧରେ ସାରା ଦେଶରେ ବିରୋଧ ପଦର୍ଶନ କରିବ। ଅନ୍ୟପଟେ, ମଙ୍ଗଳବାର ସାରେ କୁସ୍ତିଯୋଦ୍ଧାମାନେ ଗଙ୍ଗାରେ ମେଡାଲ ବିସର୍ଜନ କରିବାକୁ ଘୋଷଣା କରିଛନ୍ତି। ଭାରତୀୟ କୃଷକ ସଂଘର ମୁଖପାତ୍ର ରାକେଶ ଟିକାୟତ କୁସ୍ତିଯୋଦ୍ଧାମାନଙ୍କୁ ଏପରି ନ କରିବାକୁ ନିବେଦନ କରିଛନ୍ତି।
ରାକେଶ ଟିକାୟତ ଟୁଇଟ୍ କରି ଲେଖିଛନ୍ତି,ଏହି ପଦକ ହେଉଛି ଦେଶର ଗର୍ବ। ସମସ୍ତ କୁସ୍ତିଯୋଦ୍ଧାଙ୍କୁ ଏପରି ପଦକ୍ଷେପ ନ ନେବାକୁ ଅନୁରୋଧ। ନିଜ ନିଜର ଖେଳ ସହିତ ଦେଶକୁ ଗର୍ବିତ କରିଛନ୍ତି। ଆମେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛୁ ଏହାକୁ ଧ୍ୟାନରେ ରଖି କୁସ୍ତିଯୋଦ୍ଧାଙ୍କ ସହ ଶୀଘ୍ର କଥା ହୁଅନ୍ତୁ।