Categories: ଜାତୀୟ

ଘରକୁ ଫେରିଲେ କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ,୧।୬: ଭାରତୀୟ କୁସ୍ତି ମହାସଂଘ(ଡବ୍ଲ୍ୟୁଏଫ୍‌ଆଇ) ସଭାପତି ବ୍ରିଜଭୂଷଣ ଶରଣସିଂହଙ୍କ ଗିରଫ ପ୍ରତିବାଦରେ ଆନ୍ଦୋଳନ ଚଲାଇଥିବା କୁସ୍ତିଯୋଦ୍ଧାଘରକୁ ଫେରି ଆସିଥିବା ଜଣାପଡିଛି। ଆନ୍ଦୋଳନକାରୀ ଭାବେ କେବଳ ସାକ୍ଷୀ ମଲ୍ଲିକ ଦିଲ୍ଲୀରେ ରହିଛନ୍ତି। ଅନ୍ୟପକ୍ଷେ ଆନ୍ଦୋଳନକାରୀମାନେ ନୀରବ ପ୍ରତିବାଦ କରୁଥିବାରୁ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ଏପ୍ରିଲ ୨୩ରୁ ମେ’ ୨୮ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନକାରୀମାନେ ଯନ୍ତରମନ୍ତରରେ ଆନ୍ଦୋଳନ ଚଲାଇଥିଲେ। ରବିବାର ନୂଆ ସଂସଦ ଭବନ ଆଗରେ ମହିଳା ପଞ୍ଚାୟତ କରିବାକୁ ଯାଉଥିବା ବେଳେ ଦିଲ୍ଲୀ ପୋଲିସ ଖେଳାଳିଙ୍କୁ ଅଟକାଇ ଥିଲା। ଏପରି କି ଆନ୍ଦୋଳନକାରୀଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଥିଲା। ଆନ୍ଦୋଳନସ୍ଥଳକୁ ଖାଲି କରିବାକୁ କୁସ୍ତିଯୋଦ୍ଧାଙ୍କୁ କୁହାଯାଇଥିଲା। ଅନ୍ୟପକ୍ଷେ କୁସ୍ତିଯୋଦ୍ଧାଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା। ଏପରିକି କୁସ୍ତିଯୋଦ୍ଧାମାନେ ମେଡାଲକୁ ଗଙ୍ଗା ନଦୀରେ ବିସର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଭାରତୀୟ କିଷାନ ୟୁନିୟନ ଜାତୀୟ ସଭାପତି ନରେଶ ଟିକାୟତ ଖେଳାଳିଙ୍କୁ ବୁଝାଇ ଫେରାଇ ଆଣିଥିଲେ। କୁସ୍ତିଯୋଦ୍ଧାଙ୍କୁ ୫ ଦିନ ସମୟ ଦେବାକୁ ସେ କହିଥିଲେ। ପରେ ଆନ୍ଦୋଳନ ସାମାନ୍ୟ ଶାନ୍ତ ପଡିଥିଲା।

କ୍ରୀଡାରେ କ୍ଷତି ପହଞ୍ଚିବା ଭଳି ପଦକ୍ଷେପ ନ ନେବାକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଆନ୍ଦୋଳନକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଖେଳାଳିମାନେ ଧର୍ଯ୍ୟ ରଖି ତଦନ୍ତ ଉପରେ ବିଶ୍ବାସ ରଖିବାକୁ ସେ କହିଛନ୍ତି।

Share