Categories: ଜାତୀୟ

ଅଲିମ୍ପିକ ମେଡାଲକୁ ଗଙ୍ଗାରେ କରିବେ ବିସର୍ଜନ, ଆମରଣ ଅନଶନରେ ବସିବେ କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ,୩୦।୫: ରେସଲିଂ ଫେଡେରେଶନ ମୁଖ୍ୟ ବ୍ରଜ୍‌ ଭୂଷଣ ଶରଣ ସିଂଙ୍କ ଗିରଫ ପ୍ରତିବାଦରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ଜାରି ରହିଛି। ଏହି ସମୟରେ ମଙ୍ଗଳବାର କୁସ୍ତିଯୋଦ୍ଧାମାନେ ଅଲିମ୍ପିକ ମେଡାଲଙ୍କୁ ଗଙ୍ଗାରେ ବିସର୍ଜନ କରିବେ ବୋଲି ବିନେଶ ଫୋଗାଟ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ଲେଖି ଏ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମଙ୍ଗଳବାର ସା ୬ଟାରେ ରେସଲରମାନେ ହରିଦ୍ୱାରର ଗଙ୍ଗାରେ ମେଡାଲ ଭାସାଇବେ। ସେ ଆହୁରି ମଧ୍ୟ କହିଛନ୍ତି, ଏହି ଆନ୍ଦୋଳନ ସମୟରେ ପ୍ରଧାନମନ୍ତ୍ରୀ କୌଣସି ପଦକ୍ଷେପ ନେଉନାହାଁନ୍ତି।

ବିନେଶ ଟୁଇଟରରେ ଲେଖିଛନ୍ତି, ରବିବାର ଆମ ସହିତ କ’ଣ ଘଟିଛି ଆପଣ ସମସ୍ତେ ଦେଖିଥିବେ। ଆମେ ମହିଳା କୁସ୍ତିଯୋଦ୍ଧାମାନେ ଅନୁଭବ କରୁଛୁ ଯେ ଯେପରି ଏହି ଦେଶରେ ଆମର କିଛି ନାହିଁ । ଫୋଗାଟ ଲେଖିଛନ୍ତି, ଯେତେବେଳେ ଆମେ ଅଲିମ୍ପିକ୍ସ, ବିଶ୍ୱ ଚାମ୍ପିୟନସିପରେ ମେଡାଲ ଜିତିଥିଲୁ ସେହି ମୁହୂର୍ତ୍ତଗୁଡ଼ିକୁ ଆମେ ମନେ ରଖିଛୁ। ଏବେ ଲାଗୁଛି ଯେ ଏହି ମେଡାଲ କାହିଁକି ଜିତିଥିଲୁ। ଆମେ ଏହି ପଦକ ଚାହୁଁନାହୁଁ। ଆମେ ଏହି ମେଡାଲ ଗଙ୍ଗାରେ ବିସର୍ଜନ କରିବାକୁ ଯାଉଛୁ।

Share