Categories: ଖେଳ

ସର୍ବସାଧାରଣରେ ରେସଲରଙ୍କୁ ଚାପୁଡ଼ା ମାରିଲେ ଫେଡେରେଶନ ମୁଖ୍ୟ

ରାଞ୍ଚି,୧୭।୧୨: ଭାରତୀୟ ରେସଲିଂ ଫେଡେରେଶନ (ଡବ୍ଲ୍ୟୁଏଫ୍‌ଆଇ) ମୁଖ୍ୟ ବ୍ରିଜଭୂଷଣ ଶରନ ସିଂ ସର୍ବସାଧାରଣରେ ଜଣେ ରେସଲରଙ୍କୁ ଚାପୁଡ଼ା ମାରିଛନ୍ତି। ସ୍ଥାନୀୟ ଶହୀଦ ଗନପତ ରାଇ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ୧୫ ବର୍ଷରୁ କମ୍‌ ଜାତୀୟ ରେସଲିଂ ଚାମ୍ପିୟନଶିପ୍‌ ବେଳେ ଘଟିଛି ଏଭଳି ଘଟଣା। ଘଟଣା ପରେ ଉତ୍ତରପ୍ରଦେଶର ଅନେକ ରେସଲର ଡବ୍ଲ୍ୟୁଏଫ୍‌ଆଇ ମୁଖ୍ୟଙ୍କ କାର୍ଯ୍ୟକୁ ବିରୋଧ କରିବା ସହ କ୍ଷମାପ୍ରାର୍ଥନା ଦାବି କରିଥିଲେ। ଶେଷରେ ଝାଡ଼ଖଣ୍ଡ ରେସଲିଂ ଆସୋସିଏଶନ ସଭାପତି ଭୋଲାନାଥ ସିଂଙ୍କ ସମେତ ଅନ୍ୟମାନଙ୍କ ହସ୍ତକ୍ଷେପ ପରେ ଆନ୍ଦୋଳନରୁ ଓହରିଥିଲେ ରେସଲର।

ବୟସ ଯାଞ୍ଚ ବେଳେ ଉତ୍ତରପ୍ରଦେଶର ଜଣେ ରେସଲରଙ୍କ ବୟସ ୧୫ ବର୍ଷରୁ ଊର୍ଦ୍ଧ୍ୱ ବୋଲି ଜଣାପଡ଼ିଥିଲା। ଏଣୁ ତାଙ୍କୁ ପ୍ରତିଯୋଗିତାରେ ଭାଗ ନେବାକୁ ମିଳି ନ ଥିଲା ଅନୁମତି। ପ୍ରଥମେ ଉକ୍ତ ରେସଲର ଏହା ବିରୋଧରେ ଅଭିଯୋଗ କରିଥିଲେ। ପରେ ଷ୍ଟେଜ ଉପରକୁ ଯାଇ ଡବ୍ଲ୍ୟୁଏଫ୍‌ଆଇ ସଭାପତିଙ୍କ ସହ ଯୁକ୍ତି କରିଥିଲେ।

ଉକ୍ତ ରେସଲରଙ୍କୁ ରିଙ୍ଗରୁ ଓହ୍ଲାଇବାକୁ କୁହାଯାଇଥିଲା। କିନ୍ତୁ ସେ ତାହା କରିବାକୁ ମନା କରିବା ସହ ଷ୍ଟେଜ ଉପରେ ଚିତ୍କାର କରିଥିଲେ। ଏଥିଯୋଗୁ ବ୍ରିଜଭୂଷଣ ଉତ୍ତ୍ୟକ୍ତ ହୋଇ ସର୍ବସମ୍ମୁଖରେ ରେସଲରଙ୍କୁ ଚାପୁଡ଼ା ମାରିଥିଲେ।

Share