ନୂଆଦିଲ୍ଲୀ,୨୦।୧:ଭାରତୀୟ ରେସଲିଂ ଫେଡେରେଶନର ସଭାପତି ତଥା ଭାଜପା ବ୍ରିଜ ଭୂଷଣ ଶରଣ ସିଂ ମହିଳା ରେସଲରଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଅଲିମ୍ପିଆନ ଭିନେଶ ଫୋଗତଙ୍କ ନେତୃତ୍ୱରେ ଯନ୍ତରମନ୍ତରଠାରେ ଭାଜପା ଏମ୍ପି ବ୍ରଜଭୂଷଣଙ୍କ ବିରୋଧରେ ପ୍ରଦର୍ଶନ ଶୁକ୍ରବାର ଜାରି ରହିଛି। ଆଜି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ପୁଣି ଥରେ ଖେଳାଳିଙ୍କୁ ଭେଟିବେ। ଏହାସହ ବ୍ରଜଭୂଷଣ ମଧ୍ୟ ନିଜ ମତ ସ୍ପଷ୍ଟ କରିବାକୁ ଖବରଦାତା ସମ୍ମିଳନୀ ଡକାଇଛନ୍ତି।
ମହିଳା ରେସଲର ବିନେଶ ଫୋଗତ ଅଭିଯୋଗ କରି କହିଛନ୍ତି, ବ୍ରଜଭୂଷଣ ମହିଳା ରେସଲରଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଛନ୍ତି। ଡବ୍ଲୁଏଫଆଇ ସଭାପତିଙ୍କ ନିର୍ଦ୍ଦେଶରେ କିଛି ମହିଳା ରେସଲରଙ୍କ ସହ ଯୋଗାଯୋଗ କରନ୍ତି। ଲକ୍ଷ୍ନୌରେ ତାଙ୍କର ଏକ ଘର ଅଛି, ଯାହାଦ୍ୱାରା ମହିଳା ରେସଲରମାନେ ସହଜରେ ଶୋଷିତ ହୋଇପାରିବେ। ବନ୍ଦ କୋଠରୀରେ ମହିଳା ରେସଲରଙ୍କୁ ଶୋଷଣ କରାଯାଉଛି। ସେଠାରେ କୌଣସି କ୍ୟାମେରା ମଧ୍ୟ ଲଗାଯାଇନାହିଁ। ଏହାର ପ୍ରମାଣ ମଧ୍ୟ ରହିଛି। ଲକ୍ଷ୍ନୌରେ ଜାତୀୟ ଶିବିର ଆୟୋଜିତ ହେବାର କାରଣ କ’ଣ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।