Categories: ବାଣିଜ୍ୟ

୨୦ସୁଦ୍ଧା ହୋଇପାରେ ରେସ୍‌ଲିଂ ଟ୍ରାଏଲ୍ସ

ନୂଆଦିଲ୍ଲୀ, ୭ା୭ (ପି.ଟି.):ଏସିଆନ ଗେମ୍ସ ପାଇଁ କୁସ୍ତିଯୋଦ୍ଧାମାନଙ୍କ ଶର୍ଟଲିଷ୍ଟ ତାଲିକା ପାଇଁ ଟ୍ରାଏଲ୍ସ ଯଥାସମ୍ଭବ ଜୁଲାଇ ୨୦ ପାଖାପାଖି ହୋଇପାରେ। ଅଲିମ୍ପିକ କାଉନ୍‌ସିଲ ଅଫ୍‌ ଏସିଆ(ଓସିଏ) ତରଫରୁ ଏ ନେଇ ଅଣାନୁଷ୍ଠାନିକ ପ୍ରତିଶ୍ରୁତି ମିଳିଛି। ଏସିଆନ ଗେମ୍ସ ଲାଗି ଖେଳାଳିମାନଙ୍କର ନାମ ତାଲିକା ସମୟସୀମା ଜୁଲାଇ ୧୫ ରଖାଯାଇଥିଲା। କିନ୍ତୁ ଭାରତୀୟ କୁସ୍ତିଯୋଦ୍ଧା ମହାସଂଘର ପରିଚାଳନା ପାଇଁ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ଦ୍ୱାରା ଗଠିତ ଆଡ୍‌ହକ କମିଟି ସମୟସୀମାକୁ ବୃଦ୍ଧି କରିବା ଲାଗି ଓସିଏକୁ ଅନୁରୋଧ କରିଥିଲା। ପ୍ରତିଶ୍ରୁତି ମିଳିଥିଲେ ହେଁ ଏଣ୍ଟ୍ରି ଲିଷ୍ଟ ପଠାଇବା ଲାଗି କେତେଦିନ ରିହାତି ମିଳିବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। ଆଡ୍‌ହକ୍‌ ପ୍ୟାନେଲର ଜଣେ ସଦସ୍ୟ ଜିଆନ ସିଂ କହିଛନ୍ତି, ଆଥ୍‌ଲେଟଙ୍କ ତାଲିକା ପଠାଇବା ସମୟସୀମା ବୃଦ୍ଧି ସମ୍ପର୍କରେ କୌଣସି ମେଲ୍‌ ଏପର୍ଯ୍ୟନ୍ତ ଓସିଏରୁ ଆସିନାହିଁ। ସେମାନେ କୋହଳ କରିବା ଲାଗି ରାଜି ହୋଇଥିଲେ ମଧ୍ୟ ତାହା ୧୦,୧୨, ୧୫ ଦିନ କିମ୍ବା ତା’ଠାରୁ ଅଧିକ ଲାଗିବ ଆମେ କହିପାରିବୁ ନାହିଁ। ଏସିଆନ ଗେମ୍ସ ଟ୍ରାଏଲ୍ସ ପାଇଁ ଦିନ ଘୋଷଣା ସୋମବାର ହେବ। ତାହା ଯଥା ସମ୍ଭବ ଜୁଲାଇ ୨୦ ପାଖାପାଖି ହେବ। ଆନ୍ଦୋଳନକାରୀ କୁସ୍ତିଯୋଦ୍ଧାଙ୍କୁ ପ୍ରସ୍ତୁତି ଲାଗି ଯଥେଷ୍ଟ ସମୟ ଦେବା ପରିପ୍ରେକ୍ଷୀରେ ଆଇଓଏ ଆଥଲେଟଙ୍କ ତାଲିକା ପଠାଇବାର ଶେଷ ତାରିଖ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଘୁଞ୍ଚାଇ ଦେବାଲାଗି ଓସିଏକୁ ଅନୁରୋଧ କରିଥିଲା। ସୂଚନାଯୋଗ୍ୟ, ଏସିଆନ ଗେମ୍ସ ଲାଗି ପ୍ରସ୍ତୁତି ସକାଶେ ଅତିରିକ୍ତ ସମୟ ଦେବା ଲାଗି ଅଲିମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ ଓ ଏସିଆନ ଗେମ୍ସ ସ୍ବର୍ଣ୍ଣ ବିଜୟୀ ଭିନେଶ ଫୋଗତଙ୍କ ସମେତ ୬ଜଣ କୁସ୍ତି ଯୋଦ୍ଧା କ୍ରୀଡ଼ା ମନ୍ତ୍ରଣାଳୟକୁ ଅନୁରୋଧ କରିଥିଲେ। ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ)ର ବିଦାୟୀ ସଭାପତି ବ୍ରିଜ୍‌ ଭୂଷଣ ଶରଣ ସିଂଙ୍କ ବିରୋଧରେ ଦୀର୍ଘ ୩୮ଦିନ ଆନ୍ଦୋଳନ କରିଥିବା ଦୃଷ୍ଟିରୁ ସେମାନେ ବର୍ତ୍ତମାନ ଶାରୀରିକ ଦୃଷ୍ଟିରୁ ଫିଟ୍‌ ନାହାନ୍ତି। ଆଡହକ୍‌ ପ୍ୟାନେଲ ସେମାନଙ୍କୁ ଏସିଆନ ଗେମ୍ସ ଓ ବିଶ୍ୱ ଚାମ୍ପିୟନଶିପ୍‌ ଟ୍ରାଏଲ୍ସରୁ ଛାଡ଼ କରି ଏକମାତ୍ର ବାଉଟ୍‌ ବ୍ୟବସ୍ଥା କରିଥିଲା। ହେଲେ ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା। ଜିଆନ ସିଂ କହିଛନ୍ତି, ପ୍ରସ୍ତୁତି ପାଇଁ କୁସ୍ତିଯୋଦ୍ଧାମାନଙ୍କୁ ଯଥେଷ୍ଟ ସମୟ ଦିଆଯିବ। ସେମାନଙ୍କୁ ଅତିକମ୍‌୍‌ରେ ୧୦ ଦିନ ସମୟ ଦିଆଯିବ।

Share