ପ୍ରଥମ ରୋଜଗାର କଥା ଭାବିଲେ ଯେତିକି ଖୁସି ଲାଗେ ସେତିକି ଦେହ ରୋମାଞ୍ଚରେ ଭରିଯାଏ। କାରଣ ପ୍ରଥମ ରୋଜଗାର ମୁଁ କରିଥିଲି ଯେବେ ଜୀବନର ଦ୍ୱିତୀୟ ସୋପାନରେ ପହଞ୍ଚତ୍ଥିଲି। ମାନେ ମତେ ୫୦ ବର୍ଷ ଅତିକ୍ରମ କଲା ପରେ ମୁଁ ଚାକିରୀ କ୍ଷେତ୍ରକୁ ଆସିଥିଲି ସେ ପୁଣି ସଂଯୋଗବଶତଃ। ମୋ ବାପା ବୋଉ ଦୁଇଜଣ ଡାକ୍ତର। ବୋଉ ସରକାରୀ ଚାକିରୀ କରୁଥିଲେ ଆଉ ବାପା ପ୍ରାଇଭେଟ୍ କ୍ଲିନିକ୍। କେବଳ ଆମ ଦୁଇ ଭାଇଭଉଣୀଙ୍କ ଯତ୍ନ ନେବାପାଇଁ ବାପା ସରକାରୀ ଚାକିରିକୁ ମନା କରିଥିଲେ। ଛୁଆବେଳୁ ବୋଉଙ୍କୁ ଦେଖିଦେଖି ନିଜେ ବି ଚାକିରୀ କରି ରୋଜଗାର କରିବା କଥା ମନେମନେ ଭାବୁଥିଲି। ହେଲେ ଏମ୍.ଫିଲ୍ ପଢା ସରିବା ପରେ ପରେ ହିଁ ମୋ ବାହାଘର ହେଇଗଲା। ଘର ସଂସାର, ପିଲାଛୁଆଙ୍କ କାମ ଭିତରେ ଚାକିରି କରିବାର ସ୍ବପ୍ନ ମୋର କୁଆଡ଼େ ଉଭେଇଗଲା। କିନ୍ତୁ ପଢାର ସଉକ ଥିବାରୁ ସବୁ କାମ ଭିତରେ ବି ସମୟ ବାହାର କରି ପରିବେଶ ବିଜ୍ଞାନରେ ପି.ଏଚ୍.ଡି କରିବାକୁ ପ୍ରସ୍ତୁତ ହେଉଥିଲି। ୨୦୧୨ରେ ଡକ୍ଟରେଟ୍ ଡିଗ୍ରୀ ପାଇଲି। ହେଲେ ପିଲାଙ୍କର ପଢା ସରି ନଥିବାରୁ ଚାକିରି କଥା ଭୁଲି ପୁଣି ସେମାନଙ୍କ କଥା ବୁଝିବାରେ ନିଜକୁ ହଜାଇ ଦେଲି। ଏମିତି କିଛି ବର୍ଷ ଯିବା ପରେ ୨୦୧୮ରେ ହଠାତ୍ ଦିନେ ସ୍ବାମୀ ଗୋଟେ ଫର୍ମ ଆଣି କହିଲେ, ରେଭେନ୍ସା କଲେଜରେ ଅଧ୍ୟାପକ ପୋଷ୍ଟ ପାଇଁ ଇଣ୍ଟରଭ୍ୟୁ ବାହାରିଛି, ଏହି ଫର୍ମ ଫିଲପ୍ କରି ପକେଇଦିଅ। ସେଦିନ ଖୁବ୍ ଖୁସି ହେଇଥିଲି। କାରଣ ଯେଉଁ କଲେଜର ଛାତ୍ରୀ ଥିଲି, ସେଇ କଲେଜର ଅଧ୍ୟାପିକା ହେବାର ସୌଭାଗ୍ୟ ଯେ କେବେ ପାଇବି, ସେ କଥା ଆଦୌ ଚିନ୍ତା କରି ନଥିଲି। ଭଗବାନଙ୍କ ଆଶୀର୍ବାଦ ଭାବି ଇଣ୍ଟରଭ୍ୟୁ ଦେଇ କୃତକାର୍ଯ୍ୟ ହେଇ ଚାକିରୀରେ ଯୋଗଦେଲି। ସେଇ ଭିତରେ ମୋର ଇଚ୍ଛା ହେଲା ଓଡ଼ିଆରେ ଏମ୍.ଏ. କରିବାକୁ। ଯେହେତୁ ଓଡ଼ିଆ ସାହିତ୍ୟ ପ୍ରତି ପିଲାବେଳୁ ଦୁର୍ବଳତା ଥିଲା, ତେଣୁ କଲେଜରେ ପଢାଇବା ସହିତ ନିଜେ ଓଡ଼ିଆ ଏମ୍.ଏ.ରେ କ୍ଲାସ୍ କରୁଥିଲି। ଏକକାଳୀନ ଅଧ୍ୟାପିକା ଓ ଛାତ୍ରୀ ଦୁଇଟିଯାକ ଭୂମିକା ତୁଲେଇବାକୁ ପଡୁଥିଲା। ମାସେ ପରେ ଯେଉଁଦିନ ପ୍ରଥମ ଦରମା ହାତରେ ଧରିଲି, ସେଦିନ ପ୍ରଥମେ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ମୁଣ୍ଡିଆ ମାରିଥିଲି। ତା’ପରେ ଘରକୁ ଯାଇ ଶାଶୁ ଶ୍ୱଶୁରଙ୍କୁ ମୁଣ୍ଡିଆ ମାରିଥିଲି। ଶାଶୁ ସ୍ନେହରେ ଆଉଁସି ଦେଇ କହିଲେ, ”ଯା, ଠାକୁରଙ୍କ ପାଦତଳେ ଆଗେ ଦରମା ଟଙ୍କା ରଖିଦେ, ପରେ ଯାହା କରିବୁ।“ ତାଙ୍କ କଥା ମାନି ଠାକୁରଙ୍କ ପାଖେ ଟଙ୍କାଟିକୁ ରଖି ମୁଣ୍ଡିଆ ମାରିଥିଲି। ତା’ସହିତ ମୋ ବାପା, ବୋଉଙ୍କ ଉଦ୍ଦେଶ୍ୟରେ ବି ସେଇଠି ମୁଣ୍ଡିଆ ମାରିଥିଲି। କାରଣ ମୋ ସଫଳତା ପଛରେ ସେମାନଙ୍କର ମଧ୍ୟ ଆଶୀର୍ବାଦ ରହିଥିଲା। ତା’ପରେ ସେହି ଦରମା ଟଙ୍କାରେ ଘରର ସମସ୍ତଙ୍କ ପାଇଁ କିଛି ନା କିଛି ଉପହାର ଆଣି ଦେଇଥିଲି। ସମସ୍ତେ ବହୁତ ଖୁସି ହେଇଥିଲେ। ଖାସ୍କରି ମୋ ଝିଅ ଓ ସ୍ବାମୀ। ବାସ୍ ସେ ଦିନରୁ ଆଉ ପଛକୁ ଫେରି ଚାହିଁନି। ଅଧ୍ୟାପନା ସହିତ କ୍ରମେ କବିତା, ପ୍ରବନ୍ଧ ଓ ଗଳ୍ପ ଆଦି ଲେଖିଲି। ୟା’ଭିତରେ ମୋର ଦୁଇଟି କବିତା ପୁସ୍ତକ ମଧ୍ୟ ଲୋକାର୍ପଣ ହୋଇସାରିଛି। ତା’ସହିତ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ତରଫରୁ ଲେଖିକା ଭାବେ ମୋତେ ଅନେକ ସମ୍ମାନ ବି ମିଳିଛି। ତେଣୁ ମୋ ମତରେ, ବୟସ କେବେ କୌଣସି କାର୍ଯ୍ୟ କରିବାରେ ବାଧକ ସାଜେନି, ଖାଲି କିଛି କରିବାର ମନୋବୃତି ଥିଲେ ହେଲା।
Posted inଫୁରସତ