
କଟକରେ ମୋ ଜନ୍ମ। ଘରର ପୁଣି ବଡ ଝିଅ। ପିଲାଦିନୁ ଖୁବ୍ ଚଞ୍ଚଳ ଥିଲି। ସ୍କୁଲରେ ସବୁବେଳେ ପ୍ରଥମ ହେଉଥିଲି। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରସ୍ତାବ କ୍ରମେ ମୋତେ ହିଁ ଶ୍ରେଣୀରେ ଫାଷ୍ଟ ମନିଟର କରା ହେଉଥିଲା। ପ୍ରଥମ ଧାଡି ଛାଡ଼ି କି କେବେବି ଦ୍ବିତୀୟ ଧାଡିରେ ବସିନି। ପାଠପଢ଼ାରେ ଭଲ ଥିବା ଯୋଗୁ ଶିକ୍ଷକ ଶିକ୍ଷୟିତ୍ରୀ ଯାହା ବି ଶିକ୍ଷାଦାନ କରୁଥିଲେ ମୋର ପୂରା ମୁଖସ୍ଥ ହୋଇଯାଉଥିଲା।
ସ୍କୁଲ୍ବେଳେ ନାଟକ ବି ଲେଖୁଥିଲି ଆଉ ତାକୁ ସାଙ୍ଗମାନଙ୍କୁ ଶିଖାଉଥିଲି। ସ୍କୁଲର ବାର୍ଷିକ ଉତ୍ସବରେ ମଧ୍ୟ ଅଭିନୟ କରୁଥିଲି। ଡିବେଟ୍ ହଉ କି ରଚନା ଅଥବା କୁଇଜ କମ୍ପିଟିଶନ ସବୁଥିଲେ ଭାଗ ନେବା ଆଉ ପୁରସ୍କାର ପାଇବା ମୋର ସୁନିଶ୍ଚିତ ଥିଲା। ମତେ ଏନ୍ଟିଏସ୍ଇ ସ୍କୋଲାରସିପ ବି ମିଳିଥିଲା। କିନ୍ତୁ ସେଇ ରୋଜଗାରର ପୁଲକ ମୋ ପିଲାଦିନର ସ୍ମୃତି ସହ ଝାପ୍ସା ହୋଇଯାଇଛି। କଲେଜରେ ପାଦ ଥାପିଲା ପରେ ପରେ ମୁଁ ଥମି ଗଲି। ବୋଧହୁଏ କୋ- ଏଜୁକେସନ ଥିଲା ବୋଲି ଧୀରେ ଧୀରେ ଅନ୍ତର୍ମୁଖୀ ହୋଇଗଲି। କିନ୍ତୁ ବହି ପଢ଼ାପଢ଼ି ବହୁତ କରୁଥିଲି। ପରୀକ୍ଷା ଥାଉ ନଥାଉ ସବୁବେଳେ ବିଭିନ୍ନ ପ୍ରକାର ବହି ସଂଗ୍ରହ କରିକି ପଢୁଥିଲି। +୨ ପରେ ଓୟୁଏଟିରେ ପାଇ ବି ଯାଇ ନଥିଲି। ନନା ଦୂରରେ ହଷ୍ଟେଲରେ ରହିବାକୁ ଛାଡିଲେନି। ଏମିତି ଏମିତି ରେଭେନ୍ସାରୁ ଏମଏସସିରେ ଫାଷ୍ଟ କ୍ଲାସ ଡିଷ୍ଟିଙ୍ଗସନରେ ପାସ କଲି। ତା’ ସଙ୍ଗେ ସଙ୍ଗେ ନଳିନୀ ଦେବୀରେ ବିଇଡ଼ି କଲି। ଏହାର ଅଳ୍ପଦିନ ପରେ ମୋର ବାହାଘର ହୋଇଗଲା। ଶାଶୁଘରେ ରହିଲି। ଶାଶୁଘର କାମ ସହ ଚାକିରୀ କରିବା ମୋ ପାଇଁ ସୁବିଧା ହେଲାନି। ପ୍ରଥମେ ପୁଅ ତା’ପରେ ଝିଅର ଜନ୍ମ। ମୋର ସମୟ ସେମାନଙ୍କ ଦେଖାରଖାରେ ଗଲା। ଘର କାମ ପିଲାଙ୍କ କାମରେ ସବୁବେଳେ ବାନ୍ଧି ହୋଇ ରହିଲା ମୋର ଜୀବନ। ମୁଁ ବହୁତ ଭଲ ପଢ଼ୁଥିଲି ବୋଲି ସମସ୍ତେ ଭାବୁଥିଲେ ମୋର ଭବିଷ୍ୟତରେ ଗୋଟେ ଭଲ ଚାକିରି ଥୁଆ। କିନ୍ତୁ ହେଇ ପାରିଲାନି। ମୁଁ କଲେଜରେ ପଢୁଥିବା ବେଳେ ଟ୍ୟୁଶନ ସେଣ୍ଟରରେ ଆନ୍ଧ୍ରା ମେଟ୍ରିକ ପିଲାଙ୍କୁ ପଢେଇବା ପାଇଁ ଅଫର୍ ଆସିଥିଲା। ମୋ ନନା ମନା କଲେ ମୋ ପାଠପଢ଼ାରେ ବ୍ୟାଘାତ ଘଟିବ ବୋଲି। ମୁଁ ବି ଆଗ୍ରହ ଦେଖେଇ ନଥିଲି। ବାହାଘରର କିଛି ବର୍ଷ ପରେ ଆସାମରେ ଥିଲାବେଳେ ବି ସ୍କୁଲରେ ପଢେଇବା ପାଇଁ କଲ୍ ଆସିଥିଲା। ମୁଁ ମନା କରିଦେଇଥିଲି। ଆମେ ରାଜମୁଣ୍ଡ୍ରୀରେ ଯେବେ ରହିଥିଲୁ, ସେତେବେଳେ ମୁଁ ଧୀରେ ଧୀରେ ଲେଖାଲେଖି କରିବା ଆରମ୍ଭ କଲି। ଯେହେତୁ ମୁଁ ବିଜ୍ଞାନର ଛାତ୍ରୀ ଥିଲି ବିଜ୍ଞାନଭିତ୍ତିକ ଯେ କୌଣସି ତଥ୍ୟ ଲେଖିବାକୁ ମତେ ଭଲ ଲାଗୁଥିଲା। ସେତେବେଳେ ନୂଆ ନୂଆ ‘ବିଜ୍ଞାନ ଦିଗନ୍ତ’ ଏକ ଓଡିଆ ବିଜ୍ଞାନ ପତ୍ରିକା ସରକାରଙ୍କ ତରଫରୁ ବାହାରୁଥିଲା କୁଳମଣି ସାମଲଙ୍କ ତତ୍ତ୍ୱାବଧାନରେ। ମୁଁ ସେଥିରେ ଲେଖା ଦେଉଥିଲି। ଗୋଟେ ଆଲେଖ୍ୟକୁ ମତେ ୧୦୦ ଟଙ୍କା ମିଳୁଥିଲା। ସେ ଟଙ୍କା ମନି ଅର୍ଡରରେ ଆସୁଥିଲା; ଯାହା କି ଥିଲା ମୋ ଜୀବନର ପ୍ରଥମ ରୋଜଗାରର ପୁଲକ। ସମସ୍ତେ ଶୁଣିଲେ ହସିପାରନ୍ତି। ମୁଁ ୩୧ ବର୍ଷ ତଳର କଥା କହୁଛି। ପ୍ରଥମ ମନିଅର୍ଡର ପାଇ ମୁଁ ଏତେ ଖୁସି ଏତେ ଖୁସି ହେଇ ଯାଇଥିଲି ଯେ ତାହାର ସୀମା ନଥିଲା। ସ୍ବାମୀଙ୍କ ରୋଜଗାର ଅଧିକ ଥିଲା ତେଣୁ ସେଇଠି ଶହେ ଟଙ୍କାର ସ୍ଥିତି ହୁଏତ କିଛି ମାନେ ରଖୁ ନ ଥିଲା କିନ୍ତୁ ମୋତେ ଲକ୍ଷେ ଟଙ୍କା ପୁରସ୍କାର ପାଇଲା ଭଳି ଲାଗୁଥିଲା। ସତ କହିବାକୁ ଗଲେ, ସେ ଟଙ୍କା କ’ଣ କରିଛି ମନେ ନାହିଁ। ସେତିକିରେ ମୁଁ ବହୁତ ଖୁସି ଥିଲି, କାରଣ ମୁଁ ମୋର ପଢ଼ା ଜ୍ଞାନ ପାଇଁ ଏହି ଟଙ୍କା ପାଉଥିଲି। ମୋର ଗଣିତ, ବିଜ୍ଞାନ ବହୁତ ଭଲ ହୁଏ। ପିଲା ଦୁହିଁଙ୍କ ଭବିଷ୍ୟତ ଗଢିବାରେ ମୋର ସମସ୍ତ ବିଦ୍ୟାକୁ ସେମାନଙ୍କ ପଛରେ ଲଗେଇ ଦେଇଛି । ସେମାନଙ୍କୁ ଟ୍ୟୁଶନ ଦରକାର ପଡୁ ନ ଥିଲା। ମୁଁ ପରିପୂର୍ଣ୍ଣ ଅନୁଭବ କରେ ଯେ, ମୁଁ ମୋ ପିଲାଙ୍କୁ ଭଲ ମଣିଷ କରି ପାରିଛି। ତା’ସହ ଶାଶୁଘର ଓ ବାପଘରର ସମସ୍ତ ଦାୟିତ୍ୱ ବି ତୁଲେଇ ପାରିଛି। ସ୍ବାମୀଙ୍କର ସବୁବେଳେ ସମର୍ଥନ ମିଳିଛି। ସେତେବେଳେ ପ୍ରଥମ ରୋଜଗାର ୧୦୦ ଟଙ୍କାରେ ଯେଉଁ ଖୁସି ମିଳିଥିଲା ଏବେର କୌଣସି ରୋଜଗାର ତା’ସହ ସମାନ ନୁହଁ। ଏବେ ବି ଚାହିଁଲେ ଗଣିତ, ବିଜ୍ଞାନ ପଢେଇ ରୋଜଗାର କରି ପାରିବି। କିନ୍ତୁ ଏବେ ମୋ ମନ ସାହିତ୍ୟମନସ୍କ ହୋଇଯାଇଛି। କବିତା, ଶିଶୁଲେଖା, ଶିକ୍ଷା ଭିତ୍ତିକ ଆଲେଖ୍ୟ, ବିଜ୍ଞାନ ଭିତ୍ତିକ ଆଲେଖ୍ୟ ଲେଖି ଚାଲିଛି। ବିଭିନ୍ନ ପ୍ରତିଷ୍ଠିତ ଖବରକାଗଜ ଓ ପତ୍ରପତ୍ରିକାରେ ମୋ ଲେଖା ବାହାରୁଛି। ଶ୍ରଦ୍ଧା ଓ ସମ୍ମାନ ମିଳୁଛି । ସେହି ବିମଳ ଖୁସିରେ ମୁଁ ବହୁତ ଖୁସି ଅଛି।