Categories: ଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲେଖିବା ପଡିଲା ମହଙ୍ଗା, ଗଲା ଚାକିରି

ଥିରୁଭାନନ୍ତପୁରମ୍‌,୨୭।୧୨: କେରଳରେ ଜଣେ ବିମାନବନ୍ଦର କର୍ମଚାରୀ ଫେସବୁକରେ ରାଜ୍ୟ ସରକାରଙ୍କ ବିରୋଧରେ ଲେଖିବା ମହଙ୍ଗା ପଡିଛି। ଫଳରେ ତାଙ୍କ ଚାକିରି ଯାଇଛି। କନ୍ନୁର ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡର ଜଣେ କର୍ମଚାରୀ କେରଳ ସରକାରଙ୍କ ବିରୋଧରେ ଫେସବୁକରେ ଏକ ପୋଷ୍ଟ ଲେଖିଥିଲେ, ଯାହା ପରେ ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ଅଭିଯୋଗ ହୋଇଛି। କେ.ଏଲ ରମେଶ ନାମକ ଏହି କର୍ମଚାରୀ ନିଜ ଫେସ୍‌ବୁକ୍‌ ପୋଷ୍ଟରେ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ ସମାଲୋଚନା କରିଥିଲେ। ଯାହା ପରେ କନ୍ନୁର ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ ପରିଚାଳନା ନିର୍ଦ୍ଦେଶକ ଭି ଥୁଲାସିଦାସ ରମେଶଙ୍କୁ ନେଇ ଏକ ନୋଟିସ ଜାରି କରିଥିଲେ। ରମେଶ କନ୍ନୁର ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଗ୍ନିଶମ ଏବଂ ରେସକ୍ୟୁ ୱିଙ୍ଗର ଅଧୀକ୍ଷକ ଭାବରେ କାର୍ଯ୍ୟ କରୁଥିଲେ। ଏଥିସହ ଏହି ନିଷ୍ପତ୍ତି ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ରମେଶ କହିଛନ୍ତି। ରମେଶଙ୍କୁ ଚାକିରିରୁ ହଟାଇବା ନିଷ୍ପତ୍ତି ବିରୋଧରେ ଏକ କର୍ମଚାରୀ ଦଳ କନ୍ନୁର ଅନ୍ତର୍ଜାତୀୟ ବିମାନବନ୍ଦରର ଏମଡିଙ୍କୁ ମଧ୍ୟ ଚିଠି ଲେଖିଛନ୍ତି। ସୂଚନାଯୋଗ୍ୟ, ରମେଶ ତାଙ୍କ ଫେସବୁକ ପୋଷ୍ଟରେ ପଦ୍ମନାଭସ୍ବାମୀ ମନ୍ଦିର ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ପ୍ରଶଂସା କରିଥିବାବେଳେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ।
ଚଳିତ ବର୍ଷ ଜୁଲାଇରେ ଜଷ୍ଟିସ ୟୁୟୁ ଲଲିତ ଏବଂ ଇନ୍ଦୁ ମଲହୋତ୍ରାଙ୍କ ନେତୃତ୍ୱରେ ଦୁଇ ଜଣିଆ ଖଣ୍ଡପୀଠ ୨୦୧୧ କେରଳ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପ୍ରତ୍ୟାଖ୍ୟାନ କରି ରାଜ୍ୟ ସରକାରଙ୍କୁ ମନ୍ଦିରର ପରିଚାଳନା ତଥା ସମ୍ପତ୍ତି ନିୟନ୍ତ୍ରଣ କରିବାକୁ ଅନୁମତି ଦେବା ପାଇଁ ଏକ ଟ୍ରଷ୍ଟ ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Share