୧୩ ବର୍ଷରେ ଏପରି କାହାଣୀ ଲେଖୁଛନ୍ତି ଏହି ନାବାଳକ, ପଢ଼ିଲେ ହେବେ ଭାବପ୍ରବଣ

ଜମ୍ମୁ-କଶ୍ମୀର,୬ା୧୨: କଶ୍ମୀରର ଜଣେ ୧୩ ବର୍ଷର ନାବାଳକ ଏପରି ସମ୍ବେଦନଶୀଳ କାହାଣୀ ଲେଖୁଛନ୍ତି, ତାଙ୍କ ଲେଖା ଯିଏ ପଢୁଛି ସେ ଭାବପ୍ରବଣ ହୋଇଯାଉଛି। ସେ କ୍ଷୁଦ୍ରଗଳ୍ପ, ବିଭିନ୍ନ ପ୍ରବନ୍ଧ ଲେଖିଥାନ୍ତି। ତାଙ୍କ ଲେଖାକୁ ବଡ଼ବଡ଼ ଲେଖକମାନେ ମଧ୍ୟ ପସନ୍ଦ କରିବା ସହ ପ୍ରଶଂସା କରୁଛନ୍ତି। ନାବାଳକ ଜଣକ ତାଙ୍କ କାହାଣୀରେ ନିଜ ଜୀବନର ସଂଘର୍ଷ ବିଷୟରେ ଲେଖିଛନ୍ତି। ଏତେ କମ୍‌ ବୟସରେ ମୋଟିଭେସନାଲ ଲେଖା ଲେଖିବା ପାଇଁ ସେ ଖୁବ୍‌ ଭଲ ପାଆନ୍ତି।


ମାତ୍ର ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ତାବିନ୍‌ ରିୟାଜ୍‌ ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାରେ ରୁହନ୍ତି। ଅନନ୍ତନାଗର ଏସ୍‌ମୁକମ୍‌ ଅଞ୍ଚଳର ହାସନ-ନୁର ଗ୍ରାମ ନିବାସୀ ରିୟାଜ ଅହମ୍ମଦ ଭଟ୍ଟଙ୍କ ପୁଅ ହେଉଛନନ୍ତି ତାବିନ୍‌। ସେ ତାଙ୍କ କାହାଣୀରେ ଅତ୍ୟଧିକ ବିଶ୍ୱାସ ଏବଂ ହତ୍ୟାକାରୀ ବିଷୟରେ ମଧ୍ୟ ଲେଖିଥାନ୍ତି। ଯାହା ସୋସିଆଲ ମିଡିଆରେ ବହୁଳ ଭାବରେ ଶେୟାର କରାଯାଉଛି। ତାବିନ୍‌ ଏକ ପୁସ୍ତକ ଲେଖିଛନ୍ତି ଯାହା ଆସନ୍ତା କିଛି ମାସ ମଧ୍ୟରେ ଶେଷ ହେବ। ଏତେ କମ୍‌ ବୟସରେ ତାଙ୍କର ଏଭଳି ଉଦ୍ୟମ ପାଇଁ ପରିବାର ଲୋକେ ଗର୍ବିତ।


ଏକ ସାକ୍ଷାତକାରରେ ତାବିନ୍‌ କହିଛନ୍ତି, ପିଲାଦିନରୁ ସାଧାରଣ ଜ୍ଞାନ ପ୍ରତି ବେଶ୍‌ ଆଗ୍ରହୀ ଥିଲେ। ତାଙ୍କ ଚତୁଃପାର୍ଶ୍ୱରେ ଘଟୁଥିବା ଘଟଣାବଳୀ ପ୍ରତି ସେ ଧ୍ୟାନ ଦେଉଥିଲେ। ଭବିଷ୍ୟତରେ ସେ ଜଣେ ଲେଖକ ହେବାକୁ ଚାହୁଁଛନ୍ତି। ତାଙ୍କ ଦେଶ କଶ୍ମୀରକୁ ସେ ଗର୍ବିତ କରିବାକୁ ଚାହାନ୍ତି ବୋଲି କହିଛନ୍ତି। ସେ କହିଛନ୍ତି, ଗତ ସପ୍ତାହରେ ସେ ୨୫ଟି ଲେଖା ଏବଂ ୯ଟି କ୍ଷୁଦ୍ରଗଳ୍ପ ଲେଖିଛନ୍ତି।
ତାଙ୍କ ପିତା କୁହନ୍ତି, ପୁଅ ନିଶ୍ଚିତ ଦିନେ ବଡ଼ ଲେଖକ ହେବ। ତାଙ୍କ ନିକଟରେ ସମସ୍ତ ପ୍ରକାର ସାମର୍ଥ୍ୟ ରହିଛି। ଗ୍ରାମାଞ୍ଚଳରେ ରହି ଜଣେ ବାଳକ ଏପରି ଉଚ୍ଚାଭିଳାଷୀ ହେବା ନିଶ୍ଚିତ ବଡ଼ କଥା। ତେଣୁ ସେ ତାଙ୍କ ପୁଅ ପାଇଁ ଗର୍ବିତ। ସେ ଚାହୁଁଛନ୍ତି ତାବିନ୍‌ ଜୀବନରେ ଯାହା କରିବାକୁ ଚାହୁଁଛନ୍ତି କରନ୍ତୁ। ସେ ତାଙ୍କୁ ସର୍ବଦା ସମର୍ଥନ କରିବେ।

Share