ମିଳିଲାନି ଲିଖିତ ପ୍ରତିଶ୍ରୁତି: ଆଜିଠୁ ବସ୍‌ ଧର୍ମଘଟ

ଭୁବନେଶ୍ୱର,୨୦ା୧୦ (ଅନିଲ ଦାସ):ରାଜ୍ୟ ସରକାରଙ୍କଠାରୁ ଲିଖିତ ପ୍ରତିଶ୍ରୁତି ମିଳିଲା ନାହିଁ। ଘରୋଇ ବସ୍‌ ମାଲିକ ସଂଘ ଡାକରାରେ ଶୁକ୍ରବାରଠାରୁ ସମଗ୍ର ରାଜ୍ୟରେ ବସ୍‌ ଧର୍ମଘଟ କରାଯିବ। ସରକାର ଲିଖିତ ପ୍ରତିଶ୍ରୁତି ନ ଦେବାରୁ ମାଲିକ ସଂଘ ବସ୍‌ ଧର୍ମଘଟ ନିଷ୍ପତ୍ତିରେ ଅଟଳ ରହିଛି। ସକାଳ ୬ଟାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବସ୍‌ ଧର୍ମଘଟ ଜାରିରହିବ ବୋଲି ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି। ସେ କହିଛନ୍ତି, ଅନିଚ୍ଛା ସତ୍ତ୍ୱେ ବାଧ୍ୟହୋଇ ଧର୍ମଘଟ କରୁଛୁ। ପୂଜା ସମୟରେ ଯାତ୍ରୀଙ୍କୁ ହଇରାଣ କରିବା ଉଦ୍ଦେଶ୍ୟ ନୁହେଁ। ଏଥିପାଇଁ ଯାତ୍ରୀଙ୍କଠାରେ କ୍ଷମାପ୍ରାର୍ଥନା କରୁଛୁ।
ଘରୋଇ ବସ୍‌ ମାଲିକ ସଂଘର ଏହି ନିଷ୍ପତ୍ତି ଫଳରେ ଯାତ୍ରୀ ପରିବହନ ସେବା ଗୁରୁତର ଭାବେ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ଦଶହରା ପାଇଁ ଶୁକ୍ରବାରଠାରୁ ସ୍କୁଲ ଓ ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ଯେଉଁମାନେ ଗାଁକୁ କିମ୍ବା ବନ୍ଧୁବାନ୍ଧବ ଘରକୁ ଯିବା ପାଇଁ ବାହାରିଛନ୍ତି ସେମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ଅନେକ ଲୋକ ଆଗୁଆ ସିଟ୍‌ ବୁକ୍‌ କରିଛନ୍ତି। ବସ୍‌ ଧର୍ମଘଟ ଖବର ସମସ୍ତଙ୍କୁ ନିରାଶ କରିଛି।
ଧର୍ମଘଟ କଥା ଶୁଣି ଗୁରୁବାର ରାଜ୍ୟର ବିଭିନ୍ନ ବସ୍‌ଷ୍ଟାଣ୍ଡରେ ଯାତ୍ରୀମାନଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଦୂରଦୂରାନ୍ତ ଯିବାକୁ ଥିବା ଯାତ୍ରୀମାନେ ବସ୍‌ଷ୍ଟାଣ୍ଡ ମୁହାଁ ହୋଇଛନ୍ତି। ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଓ କଟକର ନେତାଜୀ ଟର୍ମିନାଲରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଟିକେଟ ଖଣ୍ଡେ ପାଇବାକୁ ଯାତ୍ରୀମାନେ କାକୁତିମିନତି ହେଉଛନ୍ତି। ରାଜ୍ୟର ଅନ୍ୟ ଅଞ୍ଚଳ ବସ୍‌ଷ୍ଟାଣ୍ଡରେ ସମାନ ଅବସ୍ଥା ଦେଖିବାକୁ ମିଳିଛି।
ଜିଲା ମୁଖ୍ୟାଳୟକୁ ସରକାରଙ୍କ ଲକ୍ଷ୍ମୀ ବସ୍‌ ଚଳାଚଳକୁ ବିରୋଧ କରି ଘରୋଇ ବସ୍‌ ମାଲିକ ସଂଘ ଏଭଳି ଚରମ ନିଷ୍ପତ୍ତି ନେଇଛି। ଘରୋଇ ବସ୍‌ଗୁଡ଼ିକରେ ଦୈନିକ ପ୍ରାୟ ୭ରୁ ୧୦ ଲକ୍ଷ ଲୋକ ଯାତାୟାତ କରନ୍ତି। ବନ୍ଦ ଡାକରା ଯୋଗୁ ଘରୋଇ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। ଏହା ରାଜ୍ୟର ପରିବହନ ସେବାକୁ ଗୁରୁତର ପ୍ରଭାବିତ କରିବା ଆଶଙ୍କା ସୃଷ୍ଟି ହୋଇଛି।
ଲକ୍ଷ୍ମୀ ଯୋଜନାରେ ବ୍ଲକରୁ ଜିଲା ମୁଖ୍ୟାଳୟକୁ ବସ୍‌ ଚଳାଚଳକୁ ବିରୋଧ କରି ଅକ୍ଟୋବର ୧୦ ତାରିଖରେ ଘରୋଇ ବସ୍‌ ମାଲିକ ସଂଘ ଧର୍ମଘଟ ଡାକରା ଦେଇଥିଲା। ତେବେ ଏହାକୁ ଏଡ଼ାଇବା ପାଇଁ ଅକ୍ଟୋବର ୯ ତାରିଖରେ ସଂଘର କର୍ମକର୍ତ୍ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଲୋଚନା କରି ଦାବି ପୂରଣ ନେଇ ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ ଅବିଭକ୍ତ କେରାପୁଟ ଜିଲାରେ ଲକ୍ଷ୍ମୀ ଯୋଜନାରେ ବ୍ଲକରୁ ଜିଲା ସଦର ମହକୁମାକୁ ବସ୍‌ ଚଳାଚଳ କରୁଛି। ଏହାକୁ ଘରୋଇ ବସ୍‌ ମାଲିକମାନେ ବିରୋଧ କରି ଧର୍ମଘଟ ଡାକରା ଦେଇଥିବା ସଂଘ ପକ୍ଷରୁ କୁହାଯାଇଛି।

Share