ନିର୍ବାଚନୀ ସତ୍ୟପାଠରେ ଭୁଲ୍‌ ତଥ୍ୟ

ନୟାଗଡ଼,୧୯।୧୦(ଲୋକନାଥ ମିଶ୍ର)ଗତ ପଞ୍ଚାୟତ ନିର୍ବାଚନ ସମୟରେ ନିର୍ବାଚନୀ ସତ୍ୟ ପାଠରେ ଭୁଲ ତଥ୍ୟ ଦିଆ ଯିବା ନେଇ ଭାପୁର ବ୍ଳକର ୪ ପରାଜିତ ପ୍ରାର୍ଥୀ ନୟାଗଡ଼ ସବ୍‌ଡିଜନସ୍ତରୀୟ ରିଟର୍ଣ୍ଣୀ ଅଫିସର ତଥା ଉପଜିଲାପାଳ, ପଞ୍ଚାୟତ ନିର୍ବାଚନର ରିଟର୍ଣ୍ଣୀ ଅଫିସର ତଥା ଜିଲାପାଳ, ଭାପୁର ବ୍ଳକ ରିଟର୍ଣ୍ଣୀ ଅଫିସର ତଥା ବିଡିଓଙ୍କୁ ବୁଧବାର ଫେରାଦ୍‌ ହୋଇ ନ୍ୟାୟ ମାଗିଛନ୍ତି। ମିଥ୍ୟା ସତ୍ୟପାଠ ଘଟଣାରେ ୨ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଜିଲାପାଳ, ଉପଜିଲାପାଳ ଓ ବିଡିଓଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ଆଇନର ଆଶ୍ରୟ ନେବେ ବୋଲି ଧମକ ଦେଇଛନ୍ତି।
୨୦୨୨ ପଞ୍ଚାୟତ ନିର୍ବାଚନରେ ଧାନଚାଙ୍ଗଡା ପଞ୍ଚାୟତରେ ସାବିତ୍ରୀ ପ୍ରଧାନ, ବେଣୁଧର ପ୍ରଧାନ କଇଁଫୁଲିଆ ପଞ୍ଚାୟତରେ, ଶାଳପଡା ପଞ୍ଚାୟତରେ ଦମୟନ୍ତୀ ଖଟେଇ, ଶାସନ ପଞ୍ଚାୟତର କାହ୍ନୁ ଚରଣ ପ୍ରଧାନ ସମିତି ସଭ୍ୟ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ଏହି ୪ ପ୍ରାର୍ଥୀ ବିଜୟୀ ହୋଇ କ୍ଷମତାରେ ଅଛନ୍ତି । ବିଜୟୀ ପରେ ଭାପୁର ବ୍ଳକର ଚେୟାରମ୍ୟାନ ସାବିତ୍ରୀ ପ୍ରଧାନ ଓ ଭାଇସ୍‌ ଚେୟାରମ୍ୟାନ ଭାବେ ବେଣୁଧର ପ୍ରଧାନ କାର୍ଯ୍ୟ କରୁଛନ୍ତି। ତେବେ ଏହି ୪ପ୍ରାର୍ଥୀ ପ୍ରାର୍ଥିନୀ ସମିତି ସଭ୍ୟ ପ୍ରାର୍ଥିପତ୍ର ଦାଖଲ ସମୟରେ ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି ବୋଲି ଅଭିଯୋଗ ଦେଢ଼ ବର୍ଷ ପରେ ହୋଇଛି। ବେଣୁଧର ପ୍ରଧାନଙ୍କ ନଁାରେ ପୂର୍ବତନ ବ୍ଲକ ଚେୟାରମ୍ୟାନ ଗୟାଧର ପରିଡ଼ା, ସାବିତ୍ରୀ ପ୍ରଧାନଙ୍କ ନଁାରେ ମିନତୀ ନାୟକ, ଦମୟନ୍ତୀ ଖଟେଇଙ୍କ ନଁାରେ ଲକ୍ଷ୍ମୀପ୍ରିୟା ମହାପାତ୍ର, ପ୍ରକାଶ କୁମାର ପ୍ରଧାନଙ୍କ ନଁାରେ ଚୁମୁକି ଗୋଛି ଅଭିଯୋଗ କରିଛନ୍ତି। ଯେଉଁ ୪ଜଣଙ୍କ ନଁାରେ ଅଭିଯୋଗ ଆସିଛି ସେମାନେ ହେଲେ ବେଣୁଧର ପ୍ରଧାନ, ବେଣୁଧର ପ୍ରଧାନଙ୍କ ସ୍ତ୍ରୀ, ଭାଇ ଓ ଭାଉଜ ବୋଲି ଜଣାପଡିଛି । ଏମାନଙ୍କ ନଁାରେ ୫୦୦କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ରହିଛି। ପୁଣି କିଛି ମକଦ୍ଦମା ରହିଛି । ଅନ୍ୟପକ୍ଷେ ଟିକସ ଫାଙ୍କିବା ନେଇ ଫାଇନ ବି ପଡିଛି । ତେବେ ଏଗୁଡିକ ସତ୍ୟପାଠରେ ଦର୍ଶାଯାଇ ନାହିଁ ବୋଲି ଅଭିଯୋଗରେ ଦର୍ଶଯାଇଛି। ଘଟଣା ସମ୍ପର୍କରେ ବ୍ଲକ ଭାଇସ ଚେୟାରମ୍ୟାନ ବେଣୁଧର ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ କହିଥିଲେ ମୋ ପରିବାର ବିରୋଧରେ ଆଣିଥିବା ଅଭିଯୋଗର ସତ୍ୟତା ନାହିଁ । ନିଜର ସ୍ଥିତି ଜାହିର କରିବା ପାଇଁ ବିରୋଧିମାନେ ଅମୁଳକ ଅଭିଯୋଗ ଆଣିଛନ୍ତି । ଯାହାକି ଜର ବିକଳରେ ତାଟିଆ କାମୁଡିଲା ପରି ଲାଗୁଛି ।

Share