କେନ୍ଦୁଝର,୨୦।୭:(ନରେଶ ପଟ୍ଟନାୟକ): କେନ୍ଦୁଝର ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଲାଗିଥିବା ସୂଚନା ଅଧିକାର ଅଧିନିୟମ ଫଳକରେ ଭୁଲ ସୂଚନା ରହିଥିଲେ ହେଁ ସଂଶୋଧନ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଫଳକରେ ପୂର୍ବରୁ ବଦଳି ହୋଇ ଥିବା ଡିଇଓ କପିଳେନ୍ଦ୍ର ମିଶ୍ର ଏବଂ ଡିଇଓ ସଂଗ୍ରାମ ସାହୁଙ୍କ ନାମ ଯଥାକ୍ରମେ ଇଂରାଜୀ ଏବଂ ଓଡ଼ିଆରେ ପ୍ରଥମ ଅପିଲ କର୍ତ୍ତୃପକ୍ଷ ଭାବେ ଏବେ ମଧ୍ୟ ଲେଖା ଯାଇଛି। ଫଳରେ ଏହାକୁ ନେଇ ସୂଚନା ଅଧିକାର କର୍ମୀମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହାର ସଂଶୋଧନ କରିବାକୁ ଡିଇଓ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ଦାବି କରିଛନ୍ତି। ଅଫିସ ସମ୍ମୁଖରେ ଏହି ସୂଚନା ଲେଖା ଯାଇଥିଲେ ହେଁ ଅଧିକାରୀ ଜାଣି ପାରୁନାହାନ୍ତି ନା ଜାଣି ଅଜଣା ରହୁଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏଣୁ ଏହାର ତୁରନ୍ତ ସଂଶୋଧନ କରିବାକୁ ଦାବି ହୋଇଛି।