Categories: ଜାତୀୟ

ଭୁଲ୍‌ ବନାନ ଶିଶୁ ହତ୍ୟାକାରୀଙ୍କୁ ଧରାଇଲା

ହାର୍ଦୋଇ, ୯।୧୧(ଆଇଏଏନ୍‌ଏସ୍‌): ନିଜର ଦୁର୍ବଳ ଭାଷା ଜ୍ଞାନ ଯେ ଦିନେ ରାମପ୍ରତାପ ସିଂଙ୍କୁ ହତ୍ୟା ମାମଲାରେ ଜେଲ୍‌ ପଠାଇଦେବ ଏକଥା ସେ କେବେ ବି ଭାବି ନ ଥିଲେ। ଅକ୍ଟୋବର ୨୬ରେ ସେ ତାଙ୍କ ଜେଜେମାଆଙ୍କ ଘର ନିକଟରୁ ୮ ବର୍ଷର ଶିଶୁପୁତ୍ରକୁ ଅପହରଣ କରିନେଇ ତାଙ୍କୁ ହତ୍ୟା କରିଥିଲେ। ସେହିଦିନ ସେ ପିଲାଟିର ବାପାଙ୍କ ପାଖକୁ ଏକ ଚୋରି ମୋବାଇଲ୍‌ ଫୋନ୍‌ରୁ ବାର୍ତ୍ତା ପଠାଇଥିଲେ। ପୁଅକୁ ଛାଡ଼ିବା ପାଇଁ ସେଥିରେ ସେ ୨ ଲକ୍ଷ ଟଙ୍କା ଦାବି କରିଥିଲେ ବୋଲି ହାର୍ଦୋଇ ଏସ୍‌ପି କହିଛନ୍ତି। ପରେ ଫୋନ ସୁଇଚ୍‌ ଅଫ୍‌ ହୋଇଯାଇଥିଲା। ସିମ୍‌ କାହା ନାମରେ ଅଛି ଜାଣିବା ପାଇଁ ସାଇବର ସର୍ଭିଲାନ୍ସ ସେଲ୍‌ ସହ ଯୋଗାଯୋଗ କରିବାରୁ ତାହା ଚୋରି ମୋବାଇଲ ବୋଲି ଜଣାପଡ଼ିଥିଲା। ସିସିଟିଭି ଚିତ୍ର ଓ ଅନ୍ୟାନ୍ୟ ସୂଚନା ଆଧାରରେ ପୋଲିସ ୧୦ ଜଣ ସନ୍ଦିଗ୍ଧଙ୍କୁ ଡାକି ନେଇ ସେମାନଙ୍କୁ କେତେକ ଲାଇନ ଲେଖିବାକୁ କହିଥିଲା। ରାମ ପ୍ରତାପଙ୍କ ଭୁଲ୍‌ ବନାନରୁ ସେ ହିଁ ୨ ଲକ୍ଷ ଟଙ୍କା ପାଇଁ ମୋବାଇଲ୍‌ରେ ବାର୍ତ୍ତା ପଠାଇଥିବା ସ୍ପଷ୍ଟ ହୋଇଯାଇଥିଲା। ଗିରଫ ପରେ ସେ ଅପରାଧ ସ୍ବୀକାର କରିଛନ୍ତି।

Share