Advertisement

ପେଟ୍ରୋଲ ଢାଳିଦେଲେ ଡାକ୍ତର, ଆଙ୍ଗୁଠି ହରାଇଲେ ଯୁବକ

ଦେବଗଡ,୨୦।୮(ଡି.ଏନ.ଏ.): ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅଧୀନ ଉଟୁଣିଆ ଗ୍ରାମର ତ୍ରିପୁରାରୀ ପ୍ରଧାନଙ୍କ ପୁଅ ସନ୍ଦୀପ ପ୍ରଧାନ (୧୮) ଡାହାଣ ପାଦର ବୃଦ୍ଧାଙ୍ଗୁଳି ହରାଇଛନ୍ତି। ଡାକ୍ତର ଓ ଫାର୍ମାସିଷ୍ଟଙ୍କ ଭୁଲ୍‌ ଚିକିତ୍ସାରୁ ତାଙ୍କୁ ଏହି ପରିଣାମ ଭୋଗିବାକୁ ପଡିଛି। ଏ ନେଇ ତାଙ୍କ ଘର ଲୋକେ କୁଣ୍ଢେଇଗୋଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରିଛି। ତେବେ ୧ଲକ୍ଷ ଟଙ୍କା ଦେଇ ମାମଲା ସମାଧାନ କରିବାକୁ ଚାପ ପ୍ରୟୋଗ କରାଯାଉଛି। ଏ ନେଇ ତାଙ୍କ ପରିବାର ଲୋକେ ଦେବଗଡ ଏସ୍‌ପିଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି।
ଜୁନ୍‌ ୧୭ ତାରିଖ ସନ୍ଦୀପ ପଳସମା କ୍ଷେତ୍ରୀୟ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ଡାକ୍ତର ଚିତ୍ତରଞ୍ଜନ ସାହୁଙ୍କୁ ଦେଖାଇଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ଫର୍ମାସିଷ୍ଟ ପଦ୍ମନାଭ ସାହୁ ଉକ୍ତ ସ୍ଥାନରେ ପେଟ୍ରୋଲ ଢାଳି ଚିକିତ୍ସା କରିଥିଲେ। ଫଳରେ ଘା’ ଠିକ ହେବା ପରିବର୍ତ୍ତେ ବୃଦ୍ଧି ପାଇବା ସହ ଯନ୍ତ୍ରଣା ମଧ୍ୟ ବଢିଥିଲା। ପରିବାର ଲୋକେ ଅଧିକ ଚିକିତ୍ସା ପାଇଁ ଛେଣ୍ଡିପଦା ଓ ଅନୁଗୋଳ ଡାକ୍ତରଖାନା ନେଇଥିଲେ ମଧ୍ୟ କାୈଣସି ସୁଫଳ ମିଳି ନ ଥିଲା। ଶେଷର ସେମାନେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ସନ୍ଦୀପଙ୍କୁ ଭର୍ତ୍ତି କରିଥିଲେ। ଭୁଲ୍‌ ଚିକିତ୍ସା ଲାଗି ସଂକ୍ରମଣ ହେତୁ ଡାକ୍ତର ଶେଷରେ ଏହି ଆଙ୍ଗୁଠି କାଟିବାକୁ ବାଧ୍ୟ ହୋଇଛନ୍ତି। ତେବେ ଏ ନେଇ ପଳସମା କ୍ଷେତ୍ରୀୟ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ସାହୁ କହିଛନ୍ତି ଯେ, ମେଡିକାଲ ସାଇନ୍ସ ଅନୁଯାୟୀ ଚିକିତ୍ସା କରାଯାଇଥିଲା। ପେଟ୍ରୋଲ ଦ୍ୱାରା ଚିକିତ୍ସା କରାଯାଇଥିବା ଅଭିଯୋଗ ମିଛ ଓ ଉଦ୍ଦେଶ୍ୟମୂଳକ। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମନୋଜ କୁମାର ଉପାଧ୍ୟାୟ କହିଛନ୍ତି ଯେ, ଅଭିଯୋଗ ପାଇଲେ ଘଟଣାର ତଦନ୍ତ କରି ପଦକ୍ଷେପ ନେବେ। ୧ ଲକ୍ଷ ଟଙ୍କା ନେଇ ମାମଲା ଉଠାଇ ନେବାକୁ ଚାପ ପ୍ରୟୋଗ କରିବା ସମ୍ପର୍କରେ କୁଣ୍ଢେଇଗୋଳା ଥାନା ଅଧିକାରୀଣୀ ନିରୂପମା ଜେନାଙ୍କୁ ପଚାରିବାରୁ ସେ ଏହି ଅଭିଯୋଗ ମିଛ ବୋଲି ଉତ୍ତର ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share