ରଙ୍ଗ୍‌ରୁଟ୍‌ ଡ୍ରାଇଭିଂ ନେଇଛି ୪୦୨ ଜୀବନ

ଭୁବନେଶ୍ୱର,୩୧ା୫ (ସୂର୍ଯ୍ୟକାନ୍ତ ବେହେରା): ଦୁର୍ଘଟଣା ରୋକିବା ସହ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ପରିବହନ ବିଭାଗ ଓ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ସହ ବ୍ୟାପକ ପଦକ୍ଷେପ ନିଆଯାଉଛି। ଗାଡି ଚାଳକଙ୍କୁ ହେଲମେଟ ପିନ୍ଧିବା, ମୋଟର ସାଇକେଲରେ ୨ଜଣରୁ ଅଧିକ ନ ବସିବା, ଗାଡି ଚଳାଇବାବେଳେ ଫୋନ ବ୍ୟବହାର ନ କରିବା, ରଙ୍ଗରୁଟ୍‌ରେ ନ ଯିବା, ମଦ ପିଇ ଗାଡି ନ ଚଳେଇବା ଭଳି ଟ୍ରାଫିକ ନିୟମ ପାଳନ କରିବାକୁ ସତର୍କ କରାଯାଉଛି। ଏପରିକି ପୋଲିସ ଓ ଆର୍‌ଟିଓ ପକ୍ଷରୁ ଜରିମାନା ମଧ୍ୟ ଆଦାୟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହାପରେ ବି ଅମାନିଆ ଗାଡି ଚାଳକ ନିୟମ ଉଲ୍ଲଂଘନ କରି ଗାଡି ଚଳାଉଥିବାରୁ ଦୁର୍ଘଟଣା ଘଟି ଅକାଳରେ ଅନେକ ଜୀବନ ଚାଲିଯାଉଛି। ବିଶେଷକରି ରଙ୍ଗ୍‌ରୁଟ୍‌ରେ ଗାଡି ଚାଳନା ଯୋଗୁ ମୁହଁାମୁହିଁ ଦୁର୍ଘଟଣା ବଢ଼ିବା ସହ ମୃତାହତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ପରିବହନ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ, ୨୦୨୩ରେ ରଙ୍ଗରୁଟ୍‌ ଡ୍ରାଇଭିଂ ଯୋଗୁ ରାଜ୍ୟରେ ୯୮୬ ଦୁର୍ଘଟଣା ଘଟିଛି। ଏଥିରେ ୪୦୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୫୮ଜଣ ଗୁରୁତର ଆହତ ହୋଇଛନ୍ତି।
ସେହିପରି ମଦ ପିଇ ଗାଡି ଚଲାଇବା କେବଳ ଦଣ୍ଡନୀୟ ଅପରାଧ ନୁହେିଁ, ମୃତ୍ୟୁକୁ ହାତଠାରି ଡାକିବା ସହ ସମାନ। ଏଭଳି ବେଆଇନ କାମ ବିରୋଧରେ ସଚେତନତା ଓ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ତଥାପି କିଛି ଅମାନିଆ ମଦ ପିଇ ଗାଡି ଚଳାଇବାରୁ ରାଜ୍ୟରେ ୬୪୯ ଦୁର୍ଘଟଣା ଘଟିଛି। ଏଥିରେ ୨୫୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୦୭ ଜଣ ଗୁରୁତର ଆହତ ହୋଇଥିବା ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share