Categories: ଖେଳ

ଡବ୍ଲୁଟିଏସି ଫାଇନାଲ: ଭାରତ ବିପକ୍ଷ ମ୍ୟାଚ ପୂର୍ବରୁ ସ୍ବାସ୍ଥ୍ୟ ଅପ୍‌ଡେଟ ଦେଲେ ଏହି ଅଷ୍ଟ୍ରେଲୀୟ ଦ୍ରୁତ ବୋଲର

ନୂଆଦିଲ୍ଲୀ,୩୧।୫: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ୧୬ତମ ସିଜନ ଶେଷ ହେବା ସହିତ ଏବେ ସମସ୍ତଙ୍କ ନଜର ଅନ୍ତର୍ଜାତୀୟ କ୍ରିକେଟ ଉପରେ ରହିଛି। ଇଂଲଣ୍ଡ ଦଳ ଜୁନ ୧ରୁ ଆୟର୍ଲାଣ୍ଡ ବିପକ୍ଷରେ ଏକ ମ୍ୟାଚ ଟେଷ୍ଟ ସିରିଜ ଖେଳିବାକୁ ମଇଦାନକୁ ଓହ୍ଲାଇବ। ଏଥି ସହିତ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ (ଡବ୍ଲୁଟିଏସି) ର ଦ୍ୱିତୀୟ ସଂସ୍କରଣର ଫାଇନାଲ ମ୍ୟାଚ ଜୁନ ୭ରୁ ଲଣ୍ଡନର ଓଭାଲ ଗ୍ରାଉଣ୍ଡରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜୋଶ ହାଜଲେଉଡ ତାଙ୍କ ଫିଟ୍‌ନେସକୁ ନେଇ ଅପ୍‌ଡେଟ ଦେଇଛନ୍ତି।

ଆହତ କାରଣରୁ ଜୋଶ ହାଜଲେଉଡଙ୍କୁ ଦୀର୍ଘ ଦିନ ଧରି ଅନ୍ତର୍ଜାତୀୟ କ୍ରିକେଟରେ ଖେଳୁଥିବାର ଦେଖିବାକୁ ମିଳିନାହିଁ। ସେ ଭାରତ ଗସ୍ତରେ କଙ୍ଗାରୁ ଦଳ ସହିତ ଆସିଥିଲେ, କିନ୍ତୁ ସମ୍ପୂର୍ଣ୍ଣ ଫିଟ ନ ଥିବାରୁ ତାଙ୍କୁ ଘରକୁ ଫେରିବାକୁ ପଡିଲା। ଏହା ପରେ, ଯେତେବେଳେ ଆଇପିଏଲର ୧୬ ତମ ସିଜିନର ପ୍ରଥମାର୍ଦ୍ଧରେ ବାହାରେ ରହିବା ପରେ ଯେବେ ହାଜଲେଉଡ ଫେରିଥିଲେ, ତେବେ ମାତ୍ର ଅଳ୍ପ କିଛି ମ୍ୟାଚ ଖେଳିବା ପରେ ପୁଣି ଅନ୍‌ଫିଟ କାରଣରୁ ଫେରିଯାଇଥିଲେ। ଆଇସିସି ସହିତ ବାର୍ତ୍ତାଳାପ ବେଳେ ଜୋଶ ହାଜଲେଉଡ ତାଙ୍କ ଫିଟନେସ ବିଷୟରେ ଏକ ବିବୃତ୍ତିରେ କହିଛନ୍ତି ଆଇପିଏଲରେ ନିଜର ପୂରା କ୍ଷମତାର ସହିତ ବୋଲିଂ କରିବାକୁ ମୁଁ ସକ୍ଷମ ନ ଥିଲି। ବର୍ତ୍ତମାନ କିଛି ସପ୍ତାହ ବିଶ୍ରାମ ନେବା ପରେ, ମୁଁ ପୂର୍ବ ଅପେକ୍ଷା ବହୁତ ଭଲ ଅନୁଭବ କରୁଛି।

ଭାରତ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ମ୍ୟାଚ ପାଇଁ ଅଷ୍ଟ୍ରେଲିଆର ଅନ୍ତିମ ଦଳ ଘୋଷଣା କରାଯାଇଛି। ଦ୍ରୁତ ବୋଲର ସ୍କଟ ବୋଲାଣ୍ଡଙ୍କ ନାମ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହୋଇଛି। ଯଦି ମ୍ୟାଚ ପାଇଁ ହାଜଲେଉଡ ସମ୍ପୂର୍ଣ୍ଣ ଫିଟ ଘୋଷିତ ହୋଇ ନ ଥାଏ, ତେବେ ସ୍କଟ ବୋଲାଣ୍ଡଙ୍କୁ ତାଙ୍କ ସ୍ଥାନରେ ଖେଳୁଥିବା ୧୧ରେ ସାମିଲ କରାଯିବ।

Share