Advertisement

ନିର୍ଣ୍ଣାୟକ ଦିନରେ ଫାଇନାଲ; ଫଳାଫଳ ସମ୍ଭାବନା କମ୍‌

ସାଉଥାମ୍ପଟନ,୨୨।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ ମ୍ୟାଚ୍‌ ନିର୍ଣ୍ଣାୟକ ଦିନରେ ପ୍ରବେଶ କରିଛି। କିନ୍ତୁ ମ୍ୟାଚ୍‌ର ଫଳାଫଳ ତଥା ବିଜେତା ମିଳିବାର ସମ୍ଭାବନା ଖୁବ୍‌ କମ୍‌। କେବଳ ବ୍ୟାଟିଂ ବିପର୍ଯ୍ୟୟ ହିଁ ଫଳାଫଳ ଦେଇପାରିବ। ୫ମ ଦିନ ଶେଷ ସୁଦ୍ଧା ଭାରତ ଦ୍ୱିତୀୟ ଇନିଂସରେ ୨ ଉଇକେଟ ହରାଇ ୬୪ ରନ୍‌ କରିଛି। ହାତରେ ଆହୁରି ୮ ଉଇକେଟ ଥିବାବେଳେ ମାତ୍ର ୩୨ ରନ୍‌ରେ ଆଗୁଆ ଅଛି ଟିମ୍‌ ଇଣ୍ଡିଆ।

ପ୍ରଥମ ଇନିଂସରେ ଭାରତ ୨୧୭ ରନ୍‌ କରିଥିବାବେଳେ ନ୍ୟୁଜିଲାଣ୍ଡ ୧୦୧/୨ରୁ ଅସମାପ୍ତ ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିଥିଲା। ଅଧିନାୟକ କେନ ଓ୍ବିଲିୟମସନ ଖୁଣ୍ଟ ଭଳି କ୍ରିଜରେ ଜମି ରହିଖିଲେ। କିନ୍ତୁ ଅନ୍ୟ ପଟେ ଉଇକେଟ ପତନ ଘଟାଇ ଚାଲିଥିଲେ ଭାରତୀୟ ପେସର। ଫଳରେ ୨୪୯ ରନ୍‌ରେ ସୀମିତ ରହିଥିଲା ନ୍ୟୁଜିଲାଣ୍ଡ। ଦଳ ପାଇଁ ଡେଭନ କନଓ୍ବେ ୫୪ ଓ ଅଧିନାୟକ ଓ୍ବିଲିୟମସନ ୪୯ ରନ୍‌ କରିଥିଲେ। ଭାରତ ପକ୍ଷରୁ ମହମ୍ମଦ ଶାମି ୪, ଇଶାନ୍ତ ଶର୍ମା ୩ ଓ ରବିଚନ୍ଦ୍ରଶନ ଅଶ୍ୱିନ ୨ ଉଇକେଟ ହାତେଇଥିଲେ। ୩୨ ରନ୍‌ରେ ପଛୁଆ ଥିବା ଭାରତ ପାଇଁ ଧୈର୍ଯ୍ୟର ସହ ବ୍ୟାଟିଂ ଆରମ୍ଭ କରିଥିଲେ ରୋହିତ ଶର୍ମା (୩୦) ଓ ଶୁବମାନ ଗିଲ (୮)ଙ୍କ ଓପନିଂ ଯୋଡ଼ି। ଦୁଇ ଓପନରଙ୍କୁ ଅତି ଚତୁରତାର ସହ ଏଲ୍‌ବିଡବ୍ଲ୍ୟୁ ଆଉଟ୍‌ କରିଥିଲେ ଟିମ୍‌ ସୌଦି। ଫଳରେ ୫ମ ଦିନ ଶେଷ ସୁଦ୍ଧା ଟିମ୍‌ ଇଣ୍ଡିଆ ୨ ଉଇକେଟ ହରାଇ ୬୪ ରନ୍‌ କରିଛି। ଚେତେଶ୍ୱର ପୂଜାରା ୧୨ ଓ ଅଧିନାୟକ ବିରାଟ କୋହଲି ୮ ରନ୍‌ କରି କ୍ରିଜରେ ଅଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share