ନୂଆଦିଲ୍ଲୀ, ୧୯।୭- ଓ୍ବାଲର୍ଡ ରେସଲିଂ ଏଣ୍ଟରଟେନ୍ମେଣ୍ଟ (ଡବ୍ଲ୍ୟୁଡବ୍ଲ୍ୟୁଇ) ସୁପର୍ ଷ୍ଟାର୍ ଜନ୍ ସିନାଙ୍କ ବଲିଉଡ୍ ପ୍ରତି ରହିଥିବା ଦୁର୍ବଳତା ପୁଣିଥରେ ଦେଖିବାକୁ ମିଳିଛି। ପୂର୍ବରୁ ଜନ୍ ସିନା ବିଭିନ୍ନ ସମୟରେ ବଲିଉଡ୍ର ଅନେକ କଳାକାରଙ୍କ ଫଟୋ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟ ଇନ୍ଷ୍ଟାଗ୍ରାମରେ ଶେୟାର କରିଥାନ୍ତି। ଏବେ ପୁଣି ବଲିଉଡ୍ର ଜଣେ ଅଭିନେତ୍ରୀଙ୍କ ଫଟୋକୁ ଶେୟାର କରି ସେ ଚର୍ଚ୍ଚାକୁ ଆସିଛନ୍ତି। ସିନା ଶନିବାର ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାଇ ବଚ୍ଚନଙ୍କ ଏକ ଫଟୋକୁ ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ଏହି ଫଟୋଟି ଐଶ୍ୱର୍ଯ୍ୟା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେଇଥିବା ସମୟରେ ଉଠାଯାଇଥିଲା। ଚିରାଚରିତ ଭାବେ ଏହି ଫଟୋରେ ମଧ୍ୟ ସିନା କୌଣସି କ୍ୟାପସନ୍ ଉଲ୍ଲେଖ କରି ନ ଥିଲେ। କିନ୍ତୁ ନିକଟରେ କରୋନା ଆକ୍ରାନ୍ତ ହୋଇ ଐଶ୍ୱର୍ଯ୍ୟା ଓ ତାଙ୍କ ଝିଅ ଆରାଧ୍ୟା ନାନାବତୀ ହସ୍ପିଟାଲରେ ଚିକିତ୍ସା ହେବା ପାଇଁ ଭର୍ତ୍ତି ହୋଇଥିଲେ। ତାଙ୍କର ଆରୋଗ୍ୟ କାମନା କରି ସିନା ଏହି ଫଟୋଟି ଶେୟାର କରିଥିବା ଆଲୋଚନା ହେଉଛି। ଏଥିପୂର୍ବରୁ ଡବ୍ଲ୍ୟୁଡବ୍ଲ୍ୟୁଇର ଏହି ସୁପର୍ ଷ୍ଟାର ଐଶ୍ୱର୍ଯ୍ୟାଙ୍କ ଶ୍ୱଶୁର ଅମିତାଭ ବଚ୍ଚନ ଓ ସ୍ବାମୀ ଅଭିଷେକ ବଚ୍ଚନଙ୍କ ଫଟୋକୁ ମଧ୍ୟ କିଛିଦିନ ତଳେ ଶେୟାର କରିଥିଲେ। ଉଭୟ ଅମିତାଭ ଓ ଅଭିଷେକ ଯେତେବେଳେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା ସେହି ସମୟରେ ଉଭୟଙ୍କ ଆରୋଗ୍ୟ କାମନା କରି ସିନା ଏହି ଫଟୋ ପୋଷ୍ଟ କରିଥିଲେ।