ଫୁଲବାଣୀ ଅଫିସ, ୬ା୮: ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ୍ସ-ରେ ମେଶିନ ଦୁଇ ଦିନ ହେବ ଅଚଳ ହୋଇପଡିଛି । ଫଳରେ ରୋଗୀ ନାହିଁ ନ ଥିବା ହଇରାଣ ହେଉଛନ୍ତି । ଅଧିକ ଖର୍ଚ୍ଚାନ୍ତ ହୋଇ ରୋଗୀ ବାହାରେ ଏକ୍ସ-ରେ କରିବାକୁ ବାଧ୍ୟ ହେଉଛନ୍ତି । ଅନେକ ଗରୀବ ଶ୍ରେଣୀର ଲୋକେ ଅର୍ଥ ଅଭାବରୁ ଏକ୍ସ-ରେ କରି ନ ପାରି ବାଧ୍ୟହୋଇ ଘରକୁ ଫେରୁଛନ୍ତି ।
ସୂଚନା ଅନୁସାରେ, ଜିଲା ମୁଖ୍ୟ ଚିକିତ୍ସାଳୟ ଉପରେ ଜିଲାବାସୀଙ୍କ ସମେତ ପଡ଼ୋଶୀ ବୌଦ୍ଧ ଜିଲାର ରୋଗୀ ନିର୍ଭର କରିଥାନ୍ତି । ହେଲେ ଏବେ ଏକ୍ସ-ରେ ମେଶିନ ଅଚଳ ହୋଇପଡିଥିବାରୁ ରୋଗୀମାନେ ବହୁ ହଇରାଣ ହେଉଛନ୍ତି। ଦୈନିକ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ରୋଗୀ ଆସି ସେମାନଙ୍କ ଏକ୍ସ-ରେ କରାଇଥାନ୍ତି। ଚକାପାଦ ବ୍ଲକ ବ୍ରାହ୍ମଣପାଦ ଗ୍ରାମର କିଶୋରୀ ନାୟକ(୭୦)ଙ୍କ ଅଣ୍ଟାରେ ଆଘାତ ଲାଗିଛି । ସେ ଅତ୍ୟନ୍ତ ଗରୀବ ଶ୍ରେଣୀର ହୋଇଥିବାରୁ ଅର୍ଥାଭାବ ଯୋଗୁଁ ସେ ଏକ୍ସ-ରେ କରି ନ ପାରି ଦୁଇ ଦିନ ହେବ ମେଡିକାଲରେ ପଡି ରହିଛନ୍ତି। ସେହିପରି ଟିକାବାଲି ବ୍ଲକ ପାବୁରିଆ ଗ୍ରାମର ସ୍ନେହାଁସିନୀ ନାୟକ(୧୩)ଙ୍କ ଗୋଡ଼ ଭାଙ୍ଗିଯାଇଛି । ସେ ମଧ୍ୟ ଦୁଇ ଦିନ ହେଲା ମେଡିକାଲ ଆସି ଏକ୍ସ-ରେ କରି ନ ପାରି ଘରକୁ ଫେରିଯାଇଛନ୍ତି। ଏପରି ଅନେକ ରୋଗୀ ହଇରାଣ ହେଉଥିବା ଦେଖିବାକୁ ମିଳିଛି । ଏକ୍ସ-ରେ ମେଶିନ ଅପରେଟର ଅରବିନ୍ଦ ଦିଗାଳ କୁହନ୍ତି, ମେଶିନ ସଫ୍ଟୱେରରେ ସମସ୍ୟା ଦେଖାଦେଇଛି । ଯିଏ ସର୍ଭିସ ଯୋଗାଉଛନ୍ତି ତାଙ୍କୁ ଆମେ ଯୋଗାଯୋଗ କରିଛୁ । ଭୁବନେଶ୍ୱରରୁ ସେ ଆସି ମରାମତି କରିବେ। ଶନିବାର ସୁଦ୍ଧା ସବୁ ଠିକ୍ ହୋଇଯିବ ଓ ରୋଗୀ ଯେପରି ସେବା ପାଉଥିଲେ ସେହିପରି ପାଇପାରିବେ।