ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ୍ସ-ରେ ମେଶିନ ଅଚଳ, ରୋଗୀ ହନ୍ତସନ୍ତ

ବାଲିଗୁଡ଼ା,୨୪ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ୍ସ-ରେ’ ମେଶିନ ନ ଥିବାରୁ ରୋଗୀ ହନ୍ତସନ୍ତ ହେଉଛନ୍ତି। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବାଲିଗୁଡ଼ା ବ୍ଲକର ୮ରୁ ଅଧିକ ପଞ୍ଚାୟତବାସୀ ନିର୍ଭର କରନ୍ତି। ଏଠାରେ ଏକ୍ସ-ରେ’ ମେଶିନ ନ ଥିବାରୁ ରୋଗୀ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ଓ ଅନ୍ୟତ୍ର ଯାଇଥାନ୍ତି। ପୂର୍ବରୁ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ଦୁଇଟି ଏକ୍ସ-ରେ’ ମେଶିନ କିଣାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟ ପଡ଼ିରହିଛି।
ଏ ସମ୍ପର୍କରେ ବିଡିଓ, ଉପଜିଲାପାଳ, ଏମ୍‌ପିଙ୍କ ନିକଟରେ ଲିଖିତ ଅବଗତ କରାଯାଇଛି ତଥାପି ସୁଫଳ ମିଳୁନି। ବାରଖମା ସାସ୍ଥ୍ୟକେନ୍ଦ୍ର ଭିତ୍ତିଭୂମି ବିକାଶ କରି ତୁରନ୍ତ ଏକ୍ସ-ରେ’ ମେଶିନ କାର୍ଯ୍ୟକ୍ଷମ କରା ନ ଗଲେ ସେପ୍ଟେମ୍ବରରେ ଚିକିତ୍ସାଳୟ କେନ୍ଦ୍ର ସମ୍ମୁଖରେ ଗଣଧାରଣା ଦେବୁ ବୋଲି ବାରଖମା ପଞ୍ଚାୟତ ଜନପ୍ରତିନିଧି ତଥା ସମାଜସେବୀ ପରମାନନ୍ଦ ନାୟକ କହିଛନ୍ତି। ଏ ବାବଦରେ ଡାକ୍ତର ଦେବଦାସ କହିଛନ୍ତି, ଏକ୍ସ-ରେ’ ମେଶିନ ନିମନ୍ତେ ସ୍ବତନ୍ତ୍ର ଗୃହ ନଥିବାରୁ ତାହା ସଂଯୋଗ ହୋଇପାରୁନି। ଗୃହ ନିର୍ମାଣ ହେଲେ ମେଶିନ କାର୍ଯ୍ୟକ୍ଷମ ହୋଇପାରିବ ବୋଲି କହିଛନ୍ତି।