ଏକ୍ସ-ରେ ଦ୍ୱାରା ଜଣା ପଡ଼ିବ କରୋନା ସଂକ୍ରମଣ, ୯୮ ପ୍ରତିଶତ ନିର୍ଭୁଲ…

ଇଡେନବର୍ଗ, ୧୯।୧ : ସ୍କଟଲାଣ୍ଡର ବୈଜ୍ଞାନିକମାନଙ୍କର ଏକ ଦଳ କରୋନା ମହାମାରୀ ସମ୍ବନ୍ଧରେ ଏକ ନୂତନ ପରୀକ୍ଷଣ କରିଛନ୍ତି। ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ତାହା ଏକ୍ସ-ରେ ବ୍ୟବହାର କରି ଚିହ୍ନଟ ହୋଇପାରିବ। ବୈଜ୍ଞାନିକମାନେ ଏହାକୁ ୯୮ ପ୍ରତିଶତ ପର୍ଯ୍ୟନ୍ତ ନିର୍ଭୁଲ ବୋଲି ବିବେଚନା କରିଛନ୍ତି। ଏହି ପରୀକ୍ଷଣରେ ଜଣେ ବ୍ୟକ୍ତିଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଉପଯୋଗ କରାଯାଇଥାଏ। ଏଥିରେ ପାଞ୍ଚରୁ ୧୦ ମିନିଟ ମଧ୍ୟରେ ଫଳାଫଳ ମିଳିଥାଏ।

ଅନୁସନ୍ଧାନକାରୀମାନେ ଏହା ମଧ୍ୟ କହିଛନ୍ତି ଯେ ଏହା ଆର୍‌ଟି-ପିସିଆର୍‌ ପରୀକ୍ଷା ତୁଳନାରେ ଶୀଘ୍ର ସମ୍ପନ୍ନ ହୋଇ ପାରିବ ଏବଂ ରିପୋର୍ଟ ୫ ରୁ ୧୦ ମିନିଟ ମଧ୍ୟରେ ଆସିପାରିବ। ଆର୍‌ଟି-ପିସିଆର୍‌ ରିପୋର୍ଟ ପାଇବାକୁ ଏକ ଘଣ୍ଟାରୁ ଅଧିକ ସମୟ ଲାଗେ। ଅନୁସନ୍ଧାନକାରୀମାନେ କହିଛନ୍ତି ଯେ କରୋନା ମହାମାରୀ ସମୟରେ ଶୀଘ୍ର ରିପୋର୍ଟ ପ୍ରଦାନ କରୁଥିବା ଏଭଳି ଏକ ନିର୍ଭରଯୋଗ୍ୟ ଉପକରଣର ଆବଶ୍ୟକତା ଥିଲା। ଓମିକ୍ରନ ଭାରିଆଣ୍ଟ ମଧ୍ୟ ଏକ୍ସ-ରେ ମାଧ୍ୟମରେ ଶୀଘ୍ର ଚିହ୍ନଟ ହୋଇ ପାରିବ ବୋଲି ବୈଜ୍ଞାନିକ କହିଛନ୍ତି।

ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ନୂତନ କୌଶଳ ଏକ୍ସ-ରେ ଟେକ୍ନୋଲୋଜି ବ୍ୟବହାର କରି କରୋନା ଆକ୍ରାନ୍ତ, ସୁସ୍ଥ ବ୍ୟକ୍ତି ଏବଂ ଭାଇରାଲ ନିମୋନିଆରେ ଆକ୍ରାନ୍ତ ୩୦୦୦ରୁ ଅଧିକ ଚିତ୍ରର ଡାଟାବେସ ସହିତ ଏକ୍ସ-ରେ ସ୍କାନର ତୁଳନା କରାଯାଇଥାଏ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ରକ୍ରିୟା ଦ୍ୱାରା ପରିଚାଳିତ ଏହି ଉପକରଣ ଭିଜୁଆଲ ମୂଲ୍ୟାଙ୍କନ ବିଶ୍ଳେଷଣ ଏବଂ ନିରାକରଣ ପାଇଁ ଏକ ଆଲଗୋରିଦମ ବ୍ୟବହାର କରିଥାଏ। ସୀମିତ ନିଦାନ ଉପକରଣ ଯୋଗୁ ବିଭିନ୍ନ ଦେଶରେ ବହୁ ସଂଖ୍ୟକ କାରୋନା ପରୀକ୍ଷା କରିବା କଷ୍ଟକର ହୋଇଥାଏ। କିନ୍ତୁ ଏହି ଉପକରଣ ମାଧ୍ୟମରେ ଆକ୍ରାନ୍ତ ଶୀଘ୍ର ଚିହ୍ନଟ ହୋଇପାରିବ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି।

Share