ସିଙ୍ଗାପୁରରେ କରୋନାର ଏକ୍ସବିବି ଭାରିଆଣ୍ଟ୍‌ ଚିହ୍ନଟ…

ସିଙ୍ଗାପୁର ସିଟି,୧୨।୧୦ : ଚାଇନା ପରେ, ଓମିକ୍ରନର ନୂଆ ଭାରିଆଣ୍ଟ ଏକ୍ସବିବି ଯୋଗୁ ସିଙ୍ଗାପୁରରେ ଆତଙ୍କ ସୃଷ୍ଟି ହୋଇଛି। ସିଙ୍ଗାପୁର ସରକାର ଏହା ଉପରେ ତୀକ୍ଷ୍‌ଣ ନଜର ରଖିଛନ୍ତି ବୋଲି କହିଛନ୍ତି। କରୋନାର ଏହି ନୂତନ ସବ୍‌-ଭାରିଆଣ୍ଟକୁ ଅଧିକ ସାଂଘାତିକ ବୋଲି କୁହାଯାଇଥିଲେ ବି ଏପର୍ଯ୍ୟନ୍ତ ଏହାର କୌଣସି ପ୍ରମାଣ ମିଳିନାହିଁ।

ସିଙ୍ଗାପୁରର ସ୍ବାସ୍ଥ୍ୟମନ୍ତ୍ରୀ ଆଙ୍ଗ ୟେ କୁଙ୍ଗଙ୍କ ଅନୁଯାୟୀ, ଏକ୍ସବିବି ଅନ୍ୟ ସମସ୍ତ ଭାରିଆଣ୍ଟ ଅପେକ୍ଷା ଅଧିକ ସକ୍ରିୟ ଥିବା ଜଣାପଡିଛି। ଏହା ବିଶ୍ୱର ଅନେକ ସ୍ଥାନରେ ଦେଖିବାକୁ ମିଳିଛି। କିନ୍ତୁ ଗତ ତିନି ସପ୍ତାହ ମଧ୍ୟରେ ସିଙ୍ଗାପୁରରେ ଏହା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ଏହା ଦୈନିକ କୋଭିଡ ମାମଲାର ଅଧାରୁ ଅଧିକ ଆକ୍ରାନ୍ତଙ୍କଠାରେ ଦେଖିବାକୁ ମିଳୁଛି।

ସିଙ୍ଗାପୁରରେ ଇତିମଧ୍ୟରେ ୧୧,୭୩୨ ଜଣ ଏହି ନୂତନ ଭାରିଆଣ୍ଟ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସିଙ୍ଗାପୁରର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର କହିଛି ଯେ ସୋସିଆଲ ମିଡିଆରେ ନୂଆ ଭାରିଆଣ୍ଟ ଅଧିକ ସଂକ୍ରାମକ, ଗୁରୁତର ସଂକ୍ରମଣ ହେଉଥିବା ଏବଂ ଅଧିକ ମୃତ୍ୟୁ ବିଷୟରେ ଗୁଜବ ପ୍ରଚାର କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି। ହ୍ବାଟସ ଆପ ମାଧ୍ୟମରେ ପ୍ରଚାରିତ ହେଉଥିବା ଗୁଜବ ବିରୋଧରେ ଅନଲାଇନ ମିଛ ଏବଂ ଠକେଇ ଆଇନ (ପୋଫମା) ଅନୁସାରେ ପଦକ୍ଷେପ ଗ୍ରହଣ କରାଯାଉଛି। ସିଙ୍ଗାପୁରରେ ମାମଲା ବୃଦ୍ଧି ଏବଂ ମୃତ୍ୟୁ ସଂଖ୍ୟା ବଢ଼ିବା ଭଳି ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଏହି ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Share