ଜିନପିଙ୍ଗ୍‌-ଶେହବାଜ ଭେଟ, ସିପିଇସି ବିସ୍ତାର ପାଇଁ ସହମତି…

ବେଜିଂ,୨।୧୧ : ବୁଧବାର ବେଜିଂରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ଭେଟିଛନ୍ତି। ଚଳିତ ବର୍ଷ ଏପ୍ରିଲରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ପରେ ଶେହବାଜ ସରିଫଙ୍କର ଏହା ପ୍ରଥମ ଚାଇନା ଗସ୍ତ। ତେବେ ସେ ସେପ୍ଟେମ୍ବରରେ ଉଜବେକିସ୍ତାନରେ ଜିନପିଙ୍ଗ୍‌ଙ୍କ ସହ ସାକ୍ଷାତ କରିଥିଲେ। ଏହା ସହିତ ଜିନପିଙ୍ଗ୍‌ଙ୍କ ରାଷ୍ଟ୍ରପତି ଭାବରେ ତାଙ୍କର ତୃତୀୟ କାର୍ଯ୍ୟକାଳରେ ଶେହବାଜ ସରିଫ ପ୍ରଥମ ବିଦେଶୀ ରାଷ୍ଟ୍ର ମୁଖ୍ୟ ହୋଇଛନ୍ତି। ଶେହବାଜଙ୍କ ସହିତ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦାରି ମଧ୍ୟ ଚାଇନା ଗସ୍ତରେ ଯାଇଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପାକିସ୍ତାନ, ଚାଇନାର ଅର୍ଥନୈତିକ କରିଡୋର ସିପିଇସି ବିସ୍ତାର କରିବାକୁ ରାଜି ହୋଇଛି। ଅର୍ଥନୈତିକ କରିଡୋରର ଦ୍ୱିତୀୟ ପର୍ଯ୍ୟାୟରେ କାର୍ଯ୍ୟ କରିବାକୁ ଦୁଇ ନେତା ସହମତ ହୋଇଛନ୍ତି। ପାକିସ୍ତାନ ମୁସଲିମ ଲିଗ ଟୁଇଟ କରି କହିଛି ଯେ ଦୁଇ ଦିନିଆ ଚାଇନା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ଭେଟିଛନ୍ତି ଏବଂ ଅର୍ଥନୀତି ତଥା ପୁଞ୍ଜି ବିନିଯୋଗ ସମ୍ପର୍କରେ ବ୍ୟାପକ ସହଯୋଗ ଲାଗି ଆଲୋଚନା ହୋଇଛି।

Share