ବେଜିଂ,୨୮।୯: ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ଙ୍କୁ ନେଇ ଉଠିଥିବା ଗୁଜବ ଓ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଉଜ୍ବେକିସ୍ତାନର ସମରକନ୍ଦ ଏସ୍ସିଓ ସମ୍ମିଳନୀରୁ ଗତ ୧୬ ତାରିଖରେ ଫେରିବା ପରଠୁ ତାଙ୍କୁ ଦେଖିବାକୁ ମିଳି ନ ଥିଲା। ଏହାକୁ ନେଇ କେତେକ ଗଣମାଧ୍ୟମ ବିଶେଷକରି ସୋସିଆଲ ମିଡିଆରେ ନାନା କଥା ପ୍ରସାରିତ ହୋଇଥିଲା। କେହି କେହି ଜିନ୍ପିଙ୍ଗ୍ଙ୍କୁ ଗୃହବନ୍ଦୀ କରାଯାଇଥିବା ଏବଂ ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍ଏ) ଲି କୁଇଆମ୍ଇଙ୍ଗ୍ ପରବର୍ତ୍ତୀ ରାଷ୍ଟ୍ରପତି ହେବେ ବୋଲି କହୁଥିଲେ। ଶାସକ ଦଳ କିମ୍ବା ସରକାରଙ୍କ ପକ୍ଷରୁ ଏହା ଉପରେ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନ ଥିବାରୁ ଗୁଜବକୁ ବଳ ମିଳିଥିଲା। ତେବେ ମଙ୍ଗଳବାର ଜିନ୍ପିଙ୍ଗ୍ କମ୍ୟୁନିଷ୍ଟ ପାର୍ଟିର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେସବୁକୁ ଭୁଲ ପ୍ରମାଣିତ କରିଛନ୍ତି। ଚାଇନାର ଜିରୋ କୋଭିଡ୍ ପଲିସି ଅନୁଯାୟୀ ବିଦେଶରୁ ଫେରିବା ପରେ ସଂକ୍ରମଣ ଏଡ଼ାଇବା ପାଇଁ ଜିନ୍ପିଙ୍ଗ୍ କ୍ୱାରାଣ୍ଟାଇନରେ ରହିଥିବା କୁହାଯାଉଛି।