ଜିନ୍‌ପିଙ୍ଗ୍‌ ଆସିବେନି

ବେଜିଂ,୫ା୯: ଜି୨୦ ସମିଟ୍‌ରେ ଯୋଗଦେବା ଲାଗି ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଭାରତ ଗସ୍ତରେ ଆସିବେ ନାହିଁ। ନୂଆଦିଲ୍ଲୀରେ ହେବାକୁ ଥିବା ଏହି ସମ୍ମିଳନୀରେ ଚାଇନା ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ଯୋଗଦେବେ ବୋଲି ଏହାର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଏକ ବିବୃତିରେ କୁହାଯାଇଛି। ବେଜିଂ ଏକ ସଙ୍ଗେ ଦୁଇ ସବୁଠୁ ପ୍ରଭାବଶାଳୀ ନେତାଙ୍କୁ ବିଦେଶକୁ ପଠାଇପାରିବ ନାହିଁ। ସେଥିପାଇଁ ଭାରତ ସରକାରଙ୍କ ଆମନ୍ତ୍ରଣକ୍ରମେ ଚାଇନା ପ୍ରଧାନମନ୍ତ୍ରୀ ୧୮ତମ ଜି୨୦ ସମିଟ୍‌ରେ ଯୋଗଦେବେ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି। ଆସନ୍ତା ୯ ଓ ୧୦ ତାରିଖରେ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ନୂଆଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଜୋର୍‌ଦାର ଆୟୋଜନ ଚାଲିଛି।
ଜି୨୦ ଭଳି କାର୍ଯ୍ୟକ୍ରମରେ ଚାଇନା ସବୁବେଳେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ନେବା ସହ ସକ୍ରିୟ ଅଂଶଗ୍ରହଣ କରିଥାଏ। ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ଜି୨୦ ସହଯୋଗ ଉପରେ ଚାଇନା ଚିନ୍ତାଧାରା ଏବଂ ସ୍ଥିତି ସମ୍ପର୍କରେ ଜଣାଇବେ। ଉକ୍ତ ସଂଗଠନରେ ଏକତା ଓ ସହଯୋଗ ବଢ଼ାଇବା ଲାଗି ବେଜିଂ ପଦକ୍ଷେପ ନେବ ବୋଲି ଏହାର ବହିର୍ବ୍ୟାପାର ମୁଖପାତ୍ର ମାଓ ନିଙ୍ଗ୍‌ କହିଛନ୍ତି। ଜିନ୍‌ପିଙ୍ଗ୍‌ଙ୍କ ଅନୁପସ୍ଥିତିକୁ ନେଇ ବେଜିଂ କୌଣସି ନିର୍ଦ୍ଦିଷ୍ଟ କାରଣ ଜଣାଇନାହିଁ। ଚଳିତ ସପ୍ତାହରେ ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଅନୁଷ୍ଠିତ ହେବାକୁ ଥିବା ଆସୋସିଏଶନ ଅଫ୍‌ ସାଉଥ୍‌ଇଷ୍ଟ ଏସିଆନ ନେଶନ୍ସ ଏବଂ ଇଷ୍ଟ୍‌ ଏସିଆ ସମିଟ୍‌ରେ ମଧ୍ୟ ଜିନ୍‌ପିଙ୍ଗ ଯୋଗଦେଇ ନ ପାରନ୍ତି। ଉଭୟ କାର୍ଯ୍ୟକ୍ରମରେ କିଆଙ୍ଗ ଚାଇନାର ପ୍ରତିନିଧିତ୍ୱ କରିବେ।

Share