ଯୁଦ୍ଧ ଉପରେ ଜିନପିଙ୍ଗଙ୍କ ଗୁରୁତ୍ୱାରୋପ…

ବେଜିଂ,୯।୧୧ : ଚାଇନାର ଖରାପ ହେଉଥିବା ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ଏଥିରେ ଜାରି ରହିଥିବା ଅନିଶ୍ଚିତତା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଶି ଜିନପିଙ୍ଗ ଯୁଦ୍ଧ ପାଇଁ ପ୍ରସ୍ତୁତି ଘୋଷଣା କରିଛନ୍ତି। ଜିନପିଙ୍ଗ କହିଛନ୍ତି ଯେ ଦେଶର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବେଜିଂ ଏହାର ସାମରିକ ତାଲିମ ଏବଂ ଯେକୌଣସି ଯୁଦ୍ଧ ପାଇଁ ପ୍ରସ୍ତୁତିକୁ ବ୍ୟାପକ କରିବ।

ଏକ କମାଣ୍ଡ ସେଣ୍ଟର ଯାଞ୍ଚ ସମୟରେ ଜିନପିଙ୍ଗ ସୈନିକମାନଙ୍କ ମଧ୍ୟରେ ବିଶ୍ୱସ୍ତତା ଏବଂ ଯୁଦ୍ଧ ପ୍ରସ୍ତୁତି ବଢ଼ାଇବାକୁ କହିଛନ୍ତି। ଚାଇନା ସାମରିକ କମାଣ୍ଡ ଗଠନର ଲକ୍ଷ୍ୟ ବିଶ୍ୱସ୍ତ, ଯୁଦ୍ଧରେ ପାରଙ୍ଗମ, କମାଣ୍ଡରେ ପାରଙ୍ଗମ ଏବଂ ଜିତିବାରେ ସକ୍ଷମ ହେବା ଉଚିତ ବୋଲି ସେ କହିଛନ୍ତି। ଜିନପିଙ୍ଗ ସାମରିକ ନେତୃତ୍ୱକୁ ମଧ୍ୟ ସାମରିକ ତାଲିମ ଏବଂ ଯୁଦ୍ଧ ପ୍ରସ୍ତୁତି ବଢ଼ାଇବାକୁ ତଥା ନୂତନ ଯୁଗରେ ସେମାନଙ୍କର ମିଶନ ଏବଂ କାର୍ଯ୍ୟଗୁଡ଼ିକୁ ସଫଳତାର ସହ ପୂରଣ କରିବାକୁ ଆହ୍ବାନ ଦେଇଛନ୍ତି।

ଗତ ମାସରେ ଚାଇନା କମାଣ୍ଡର ଇନ୍‌ ଚିଫ୍‌ ଭାବରେ ନିର୍ବାଚିତ ହେବା ପରେ ଜିନପିଙ୍ଗ୍‌ ପ୍ରଥମ ଥର ପାଇଁ କେନ୍ଦ୍ରୀୟ ସାମରିକ ଆୟୋଗର ମିଳିତ ଅପରେଶନ କମାଣ୍ଡ ସେଣ୍ଟର ପରିଦର୍ଶନ କରିଥିଲେ। ଗତ ମାସରେ ଏକ ପାର୍ଟିର କଂଗ୍ରେସରେ୨୦୪୯ସୁଦ୍ଧା ଚାଇନା ସଶସ୍ତ୍ର ବାହିନୀକୁ ବିଶ୍ୱ ସ୍ତରୀୟ କରି ତୋଳିବା ପାଇଁ ଜିନପିଙ୍ଗ ନିଜର ଅଭିଳାଷକୁ ନିଶ୍ଚିତ କରିଥିଲେ। ନିୟମିତ ବ୍ୟବଧାନରେ ଏବଂ ବିଭିନ୍ନ ଉପାୟରେ ସାମରିକ ବାହିନୀ ନିୟୋଜିତ କରିବାରେ ବେଜିଂକୁ ଅଧିକ ଦକ୍ଷ ହେବାକୁ ପଡିବ ବୋଲି ସେ କହିଥିଲେ।

ପିଏଲଏ ଏହାର କାର୍ଯ୍ୟ ପରିଚାଳନା କରିବାରେ ଉଭୟ ଦୃଢ଼ ଏବଂ ସ୍ଥିର ହେବା ଆବଶ୍ୟକ। ସେତେବେଳେ ହିଁ ଆମେ ଆଭ୍ୟନ୍ତରୀଣ ସୁରକ୍ଷାକୁ ମଜବୁତ କରିବାକୁ, ସଙ୍କଟ ଏବଂ ଦ୍ୱନ୍ଦ୍ୱକୁ ରୋକିବାରେ ସମର୍ଥ ହେବା ଏବଂ ସ୍ଥାନୀୟ ଯୁଦ୍ଧରେ ଜିତିବାରେ ସମର୍ଥ ହେବା ବୋଲି ଜିନପିଙ୍ଗ୍‌ କହିଥିଲେ। ନ୍ୟୁଜ ଏଜେନ୍ସି ଜିନହୁଆ ଅନୁଯାୟୀ, କମାଣ୍ଡ ସେଣ୍ଟର ଯାଞ୍ଚ ସମୟରେ ଜିନପିଙ୍ଗ ଦୋହରାଇଛନ୍ତି ଯେ ଶତାବ୍ଦୀରେ ଅଦୃଶ୍ୟ ପରିବର୍ତ୍ତନଗୁଡକ ତୀବ୍ର ବେଗରେ ଘଟୁଛି। ଉଭୟ ସୁଯୋଗ ଏବଂ ବିପଦ ପାଇଁ ଚାଇନାକୁ ପ୍ରସ୍ତୁତ ହେବାକୁ ପଡିବ ବୋଲି ସେ କହିଛନ୍ତି।

Share