ନୂଆଦିଲ୍ଲୀ,୧୨।୭: ଦେଶର ରାଜଧାନୀ ଦିଲ୍ଲୀରେ ଯମୁନା ଜଳ ସ୍ତରର ୪୫ ବର୍ଷ ପୁରୁଣା ରେକର୍ଡ ବୁଧବାର ଭାଙ୍ଗିଛି। ବର୍ତ୍ତମାନ ଯମୁନାର ଜଳ ସ୍ତର ୨୦୭.୫୫ ମିଟରରେ ପହଞ୍ଚିଛି। ଗତ କିଛି ଦିନ ଧରି ଲଗାତାର ବର୍ଷା ଏବଂ ହରିୟାଣାର ହଥିନିକୁଣ୍ଡ ବ୍ୟାରେଜରୁ ୩.୫ ଲକ୍ଷରୁ ଅଧିକ କ୍ୟୁସେକ ଜଳ ଛଡାଯିବା ହେତୁ ଏହି ପରିସ୍ଥିତି ଉପୁଜିଛି। ଏହାପୂର୍ବରୁ ଜୁନ ୯, ୧୯୭୮ ରେ ଯମୁନା ନଦୀର ଜଳ ସ୍ତର ୨୦୭.୪୯ ରେକର୍ଡ କରାଯାଇଥିଲା।
ଏହି ସମୟରେ ଯମୁନାର ଜଳ ସ୍ତରରେ ରେକର୍ଡ ବୃଦ୍ଧି ପାଇବା ପରେ ଦିଲ୍ଲୀରେ ବନ୍ୟା ପରିସ୍ଥିତି ସତର୍କ ସୂଚନା ଜାରି କରାଯାଇଛି। ଭାରତ ପାଣିପାଗ ବିଭାଗ ଅନୁଯାୟୀ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ଯମୁନା ବନ୍ୟା ପ୍ରଭାବିତ ଅଞ୍ଚଳରେ ଧାରା ୧୪୪କୁ ସତର୍କତାମୂଳକ ପଦକ୍ଷେପ ଭାବେ ଲାଗୁ କରିଛି।
ଦିଲ୍ଲୀର ଯମୁନା ଜଳସ୍ତର ୧୯୭୮ର ପୁରୁଣା ରେକର୍ଡ ଭାଙ୍ଗି ବନ୍ୟା ପରିସ୍ଥିତି ସୃଷ୍ଟି କରିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ସଚିବାଳୟରେ ଏକ ଜରୁରୀ ବୈଠକ ଡାକିଛନ୍ତି।