Categories: ଖେଳ

ୟାଙ୍ଗ ଜିତିଲେ ପ୍ରଥମ ସ୍ବର୍ଣ୍ଣ

ଟୋକିଓ, ୨୫।୭-  ଚଳିତ ଟୋକିଓ ଅଲିମ୍ପିକ୍ସର ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଚାଇନାର କ୍ୱିଆନ ୟାଙ୍ଗ୍‌(୨୫୧.୮ ପଏଣ୍ଟ)। ଶନିବାର ଆସାକା ଶୁଟିଂ ରେଞ୍ଜ୍‌ରେ ଅନୁଷ୍ଠିତ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ସେ ଏହି ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ୨୧ ବର୍ଷୀୟା ୟାଙ୍ଗ ରୁଷିଆର ଆନାସ୍ତାସିଆ ଗାଲାଶିନା(୨୫୧.୧)ଙ୍କୁ ଅଳ୍ପ ପଏଣ୍ଟରେ ପଛରେ ପକାଇ ଅଲିମ୍ପିକ୍‌ ରେକର୍ଡର ମଧ୍ୟ ଅଧିକାରିଣୀ ହୋଇଛନ୍ତି। ବ୍ରୋଞ୍ଜ ପଦକ ପାଇଛନ୍ତି ସୁଇଜରଲାଣ୍ଡର ନିନା କ୍ରିଷ୍ଟେନ(୨୩୦.୬)। ପୁରସ୍କାର ପ୍ରଦାନ ଉତ୍ସବରେ କୋଭିଡ-୧୯ ପ୍ରୋଟୋକଲ ଅନୁସରଣ କରାଯାଇଥିଲା। ୟାଙ୍ଗ୍‌ଙ୍କୁ ଏକ ଟ୍ରେରେ ଫୁଲତୋଡ଼ା ସହ ପଦକ ବଢ଼ାଇ ଦିଆ ଯାଇଥିଲା। ସେ ନିଜେ ନିଜ ପଦକ ପିନ୍ଧିଥିଲେ। ୨୦୧୬ ରିଓ ଅଲିମ୍ପିକ୍ସର କୌଣସି ମେଡାଲିଷ୍ଟ ଏଥର ଭାଗ ନେଇ ନ ଥିଲେ। ତେଣୁ ପ୍ରତିଯୋଗିତା ଓପନ ଥିଲା। ନରଓ୍ବେର ଜେନେଟି ହେଗ୍‌ କ୍ୱାଲିଫିକେଶନ ରାଉଣ୍ଡରେ ଅଲିମ୍ପିକ୍‌ ରେକର୍ଡର ଅଧିକାରି ହୋଇଥିଲେ। ମାତ୍ର ଫାଇନାଲରେ ୨୦୯.୩ ପଏଣ୍ଟ ସହ ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ। ଫ୍ରାନ୍ସର ମୁଲେର ଓସେନ(୧୮୭.୭) ୫ମ ଓ ଆମେରିକାର ଟୁକର ମେରୀ କାରୋଲିନ୍‌ (୧୬୬.୦)୬ଷ୍ଠ ସ୍ଥାନରେ ରହିଥିଲେ।